ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ଝଟକା ଦେଲା ରିଲିଆନ୍ସ ଜିଓ । ହଟିଲା ଜିଓର ମାଗଣା ସେବା । ଏବେ ଅନ୍ୟ ନେଟୱାର୍କ ସହ କଥା ହେଲେ ଗ୍ରାହକଙ୍କୁ ମିନିଟ୍ ପ୍ରତି ୬ ପଇସା ଦେବାକୁ ପଡିବ । କିନ୍ତୁ ଜିଓ ଟୁ ଜିଓ କଲିଂ ପୂର୍ବ ଭଳି ମଗଣା ରହିବ । ଜିଓ ଆରମ୍ଭ ହେବା ପରେ ଜିଓ ଗ୍ରାହକ ପ୍ରଥମ ଥର କଲିଂ ପାଇଁ ପଇସା ଦେବାକୁ ଯାଉଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ବୟାନ ଜାରି କରାଯାଇଛି ।
ଆଜିଠାରୁ ଜିଓର ସମସ୍ତ ରିଚାର୍ଜ ଉପରେ, ଅନ୍ୟ ନେଟୱାର୍କ ସହ କଥା ହେବା ପାଇଁ ଆଇୟୁସି ଦର ଅନୁଯାୟୀ ଚାର୍ଜ ନିଆଯିବ । ଯେପର୍ଯ୍ୟନ୍ତ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ଟ୍ରାଇ ଜିରୋ ଟର୍ମିନେଶନ ଚାର୍ଜ ବ୍ୟବସ୍ଥା ଲାଗୁ ନକରିଛି ସେପର୍ଯ୍ୟନ୍ତ ଗ୍ରାହକଙ୍କ ଠାରୁ ଏହି ଚାର୍ଜ ନିଆଯିବ । ତେବେ ଆସନ୍ତୁ ଜାଣିବା ଆଇୟୁସି କଣ ।
ଆଇୟୁସି ମାନେ ଇଂଟର କନେକ୍ଟ ୟୁସେଜ୍ ଚାର୍ଜେସ । ଏହା ହେଉଛି ଟେଲିକମ ଟେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଚାର୍ଜ । ଏହି ଚାର୍ଜ ମିନିଟ୍ ପ୍ରତି ୬ ପଇସା ସେହି ଅପରେଟର କୁ ମିଳିଥାଏ ଯେଉଁଥିରେ ଇନକମିଙ୍ଗ କଲ ଆସିଥାଏ । ଏବଂ ସେହି ଅପରେଟରକୁ ଦିଆଯାଏ ଯେଉଁଥିରୁ ଆଉଟ ଗୋଇଙ୍ଗ କଲ ଯାଇଥାଏ । ଜିଓ ପକ୍ଷରୁ ତିନି ବର୍ଷ ମଧ୍ୟରେ ଅନ୍ୟ ନେଟୱାର୍କକୁ ୧୩ ହଜାର କୋଟିରୁ ଅଧିକ ଆଇୟୁସି ଚାର୍ଜ ଦିଆ ସରିଲାଣି ।
ଏନେଇ ଟ୍ରାଇ ପକ୍ଷରୁ କୁହାଯାଇଥିଲା କି ୧ ଜାନୁଆରୀ ୨୦୨୦ ରୁ ଆଇୟୁସି ଶୁଳ୍କ ସମ୍ପୂର୍ଣ୍ଣ ହଟାଇ ଦିଆଯିବ । କିନ୍ତୁ ଏବେ ଟ୍ରାଇ ତାର ନିଜ ନିଷ୍ପତି ଉପରେ ପୁନର୍ବାର ବିଚାର କରୁଛି । ସେଥିପାଇଁ ଜିଓ ଅନ୍ୟ ନେଟୱାର୍କକୁ ଆଇୟୁସି ନାମରେ ଏହି ସବସିଡି ସବୁବେଳେ ଦେଇପାରିବ ନାହିଁ, ସେଥିପାଇଁ ଆଇୟୁସି ଚାର୍ଜ ଶେଷ ନହେବା ପର୍ଯ୍ୟନ୍ତ ମିନିଟ୍ ପ୍ରତି ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡିବ ।