ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ଜନତାଙ୍କୁ ଝଟକା । ହାଣ୍ଡିଶାଳେ ମହଙ୍ଗମାଡ । ବଢିଲା ଏଲପିଜି ରନ୍ଧନ ଗ୍ୟାସ ଦର । ଦେଶରେ ତୈଳ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ରନ୍ଧନ ଗ୍ୟାସ ଦରରେ ୧୫ ଟଙ୍କା ବୃଦ୍ଧି କରାଯାଇଛି । କିନ୍ତୁ ୧୯ କିଲୋଗ୍ରାମର କମର୍ଶିଆଲ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଦୁଇ ମାସ ଭିତରେ ଚାରି ଥର ଗ୍ୟାସ ଦର ବୃଦ୍ଧି ହେଲାଣି । ଅଣ ସବସିଡି ଯୁକ୍ତ ସିଲିଣ୍ଡର ସେପ୍ଟମ୍ବର ୧ ରେ ୨୫ ଟଙ୍କା ମହଙ୍ଗା ହୋଇଥିଲା ।
ଦର ବୃଦ୍ଧି ହେବା ପରେ ଦିଲ୍ଲୀ ଏବଂ ମୁମ୍ବାଇ ରେ ୧୪.୨ କଲୋଗ୍ରାମ ବିଶିଷ୍ଟ ଅଣ ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡରର ଦାମ ୮୯୯.୫୦ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଏହାର ଦାମ୍ ୯୨୬ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ଏହାର ୯୧୫.୫୦ ଟଙ୍କା ହୋଇଛି । ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ ସେହିଅନୁଯାୟୀ ଏଲପିଜି ଦାମ୍ ରେ ଫରକ ଆସିଥାଏ ।
ଏହାପୂର୍ବରୁ ଅକ୍ଟୋବର ୧ ରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ଶିଆଲ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଥିଲା ।