ନୂଆଦିଲ୍ଲୀ (ଏଡିଆର ବ୍ୟୁରୋ): ଟ୍ରେନ୍ ରେ ଯାତ୍ରା କରିବା ସମୟରେ ଅନେକ ସମସ୍ୟା ଉପୁଜିଥାଏ । ଯେପରିକି ଟ୍ରେନ୍ ଛାଡିବା ପାଇଁ ଅଳ୍ପ ସମୟ ରହିଛି ଏବଂ ଟିକେଟ କାଉଣ୍ଟରରେ ଲମ୍ବା ଧାଡି । ଏହାପରେ ତରବରିଆ ହୋଇ ଟ୍ରେନରେ ଚଢି ଯାଇଥାନ୍ତି ଯାତ୍ରୀ । ଯାହାଫଳରେ ଟିଟି ହାବୁଡରେ ଧରାପଡି ସେମାନଙ୍କୁ ଜରିମାନା ଦେବାକୁ ପଡିଥାଏ ।
ମାତ୍ର ଏବେ ଯାତ୍ରୀଙ୍କ ସୁବିଧା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ରେଲୱେ ପକ୍ଷରୁ ନୂତନ ନିୟମ ଆରମ୍ଭ ହୋଇଛି । ଯଦି ଆପଣ ତରବରିଆ ହୋଇ ଟ୍ରେନରେ ଚଢି ଯାଇଛନ୍ତି କିନ୍ତୁ ଟିକେଟ କରିନାହାନ୍ତି,ତାହାଲେ ଆପଣ ଯାତ୍ର କରିବା ସମୟରେ ବି ଟିକେଟ କରିପାରିବେ । ଯାହାଫଳରେ ଯାତ୍ରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ ନାହିଁ ।
ଏହି ନିୟମ ପରେ ଯାତ୍ରୀ ଆଉ ବାହାନା କରିପାରିବେ ନାହିଁ । ରେଲୱେ ପକ୍ଷରୁ ୨୦୧୭ ରୁ ହିଁ ଟ୍ରେନରେ ଟିକେଟ କରିବାର ବ୍ୟବସ୍ଥା ଆରମ୍ଭ ହୋଇଛି, ସେଥିପାଇଁ ଆପଣଙ୍କୁ କୌଣସି ଇଣ୍ଟରନେଟ୍ ର ଆବଶ୍ୟକ ନାହିଁ କି ଟ୍ରେନ୍ ରୁ ଓହ୍ଲାଇବାକୁ ପଡିବ ନାହିଁ । ଟ୍ରେନ୍ରେ ହିଁ ଟିଟିଙ୍କ ସହ ଯୋଗାଯୋଗ କରି ଟିକେଟ କରିପାରିବେ ।
ଯଦି ଆପଣ ଟିକେଟ କରି ନାହାନ୍ତି ତେବେ ଟ୍ରେନରେ ଟିଟିଙ୍କୁ ଦେଖି ଡରନ୍ତୁନି କି ଲୁଚନ୍ତୁନି । ବରଂ ସାଧାରଣ ବ୍ୟକ୍ତିଙ୍କ ଭଳି ଟିଟିଙ୍କ ସହ କଥା ହୋଇ ଟିକେଟ୍ ନକରିବାର ସମସ୍ତ କାରଣ ଜଣାନ୍ତୁ, ଏହାପରେ ଟିଟି ଆପଣଙ୍କୁ ହ୍ୟାଣ୍ଡ ହେଲ୍ଡ ମେସିନ୍ ରୁ ଟିକେଟ ବାହାର କରି ଦେବ, ଏଥିପାଇଁ ଅତିରିକ୍ତ ଶୁଳ୍କ ୧୦ ଟଙ୍କା ନେବ ।
ଆରକ୍ଷିତ ଟିକେଟ ଦେବାର ଏହି ସୁବିଧା କେବଳ ସୁପରଫାଷ୍ଟ ଟ୍ରେନ୍ ରେ କରାଯାଇଛି । ଏବେ ଏହି ସୁବିଧା ଅନ୍ୟ ସମସ୍ତ ଟ୍ରେନରେ ଲାଗୁ ହୋଇପାରେ । ଏହି ହ୍ୟାଣ୍ଡ ହେଲ୍ଡ ମେସିନ୍ ରେଲୱେର ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ ସର୍ଭର ସହ କନେକ୍ଟ ହେବ । ଏହି ମେସିନ୍ ରେ ନାଁ ଏବଂ ସ୍ଥାନ ଦେଉ ଦେଉ ଟିକେଟ୍ ବାହାରି ଯିବ ।
ଏହାସହିତ ଯଦି କୌଣସି ଯାତ୍ରୀଙ୍କ ୱେଟିଂ ଟିକେଟ କ୍ଲିୟର ହୋଇନାହିଁ, ତେବେ ସେ ଟିଟିଙ୍କ ପାଖକୁ ଯାଇ ନିଜ ଟିକେଟ ଦେଖାଇ ଖାଲି ସିଟ୍ ବିଷୟରେ ଜାଣି ପାରିବେ ।