ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଶେଷରେ ଗ୍ରାହକଙ୍କୁ ମିଳିଲା ବଡ ଆଶ୍ୱସ୍ତି । କମିଗଲା ତେଲ ଦର । ତୈଳଦରକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ଉପରୁ ୨.୫୦ ଟଙ୍କା ହ୍ରାସ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ସହ ସମସ୍ତ ରାଜ୍ୟ ପାଖରେ ତେଲ ଦର ଉପରୁ ୨ ଟଙ୍କା ୫୦ ପଇସା କମାଇବାକୁ ଅପିଲ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।
ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ତେଲ ଦର ଉପରୁ ୧ ଟଙ୍କା ୫୦ ପଇସା ହ୍ରାସ କରିଥିବା ବେଳେ ବିଭିନ୍ନ ତୈଳ କମ୍ପାନୀ ତରଫରୁ ୧ ଟଙ୍କା କମାଇବାକୁ ନିଷ୍ପତି ହୋଇସାରିଛି । ତେବେ ରାଜ୍ୟ ସରକାର ବର୍ଦ୍ଧିତ ତୈଳ ଦର ଉପରୁ ଅଧିକ ଟଙ୍କା ଶୁଳ୍କ ଆକାରରେ ପାଉଥିବାରୁ ସେମାନେ ତେଲ ଦର କମାଇ ପାରିବେ ବୋଲି ସେ କହିଛନ୍ତି । ଯଦି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି ଅପିଲକୁ ମାନିନିଅନ୍ତି ତେବେ ସାଧାରଣ ଲୋକମାନଙ୍କ ପାଇଁ ଏହା ଲାଭଦାୟକ ହେବ ।
ରାଜ୍ୟ ସରକାର ୨ ଟଙ୍କା ୫୦ ପଇସା ହ୍ରାସ କଲେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଟଙ୍କା ହ୍ରାସ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି । ସେପଟେ କଂଗ୍ରେସ ଏହାର ପ୍ରତିକ୍ରିୟା ରଖି କହିଛି ଯେ ବିଜେପି ନିର୍ବାଚନକୁ ଆଖି ଆଗରେ ରଖି ଏପରି କରିଛି । ରାଜନୈତିକ ଚାପ ପଡିବାରୁ ସରକାର ତେଲ ଦର କମାଇଥିବା କଂଗ୍ରେସ କହିଛି । ବିଜେପିର ଭୋଟ ବ୍ୟାଙ୍କ ରାଜନୀତିକୁ ଏହା ପଦାରେ ପକାଉଛି ବୋଲି କଂଗ୍ରେସ ନିଜ ପ୍ରତିକ୍ରିୟାରେ ଜଣାଇଛି ।