ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଙ୍କରେ ଅର୍ଥ ନେଣଦେଣ କରିବା ପାଇଁ ଲୋକମାନଙ୍କୁ ବ୍ୟାଙ୍କରେ ଘଣ୍ଟାଘଣ୍ଟା ଠିଆ ହେବାକୁ ପଡିଥାଏ । କିନ୍ତୁ ଆଜିଠାରୁ ସହଜ ହେଲା ଗୋଟିଏ ବ୍ୟାଙ୍କରୁ ଆଉ ଗୋଟିଏ ବ୍ୟାଙ୍କକୁ ଟଙ୍କା ନେଣଦେଣ କରିବା । ଆଗରୁ ଟଙ୍କା ଟ୍ରାଞ୍ଜାକ୍ସନ ନିମନ୍ତେ ଗୋଟିଏ ନିର୍ଦ୍ଧାରିତ ସମୟ ଥିବା ବେଳେ ଏବେ ଏହାକୁ ଆରବିଆଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ଆଜିଠାରୁ ବ୍ୟାଙ୍କଗୁଡିକ ନିଜର ଉପଭୋକ୍ତାଙ୍କୁ ନ୍ୟାସନାଲ ଇଲେକ୍ଟୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି)ର ସୁବିଧାକୁ ୨୪ଘଣ୍ଟା ପ୍ରଦାନ କରିପାରିବେ ।
ଆରବିଆଇ ପକ୍ଷରୁ ମିଳିଥିବା ଏହି ନିର୍ଦ୍ଦେଶ ମୁତାବକ ନେଫ୍ଟ ଜରିଆରେ ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଗ୍ରାହକ କୌଣସି ବି ଦିନ ଏବଂ କୌଣସି ବି ସମୟରେ ଟଙ୍କା ପଠାଇବାର ସୁବିଧା ମିଳିବ । ତେବେ ନେଫ୍ଟ ଜରିଆରେ ସପ୍ତାହର ସାତ ଦିନ କୌଣସି ବି ସମୟରେ ଅନଲାଇନ ଟଙ୍କା ନେଣଦେଣ କରିହେବ । ଅନ୍ୟପଟେ ବ୍ୟାଙ୍କଗୁଡିକୁ ଆବଶ୍ୟକ ପର୍ଯ୍ୟାପ୍ତ ନଗଦ କେନ୍ଦ୍ରୀୟ ବ୍ୟାଙ୍କ ଉପଲବ୍ଧ କରାଇବା ପାଇଁ ଆରବିଆଇ ନିର୍ଦ୍ଦେଶ ପ୍ରଦାନ କରିଛି । ସେପଟେ ଗ୍ରାହକ ଯେପରି ଅନଲାଇନରେ ଟଙ୍କା ନେବା ଆଣିବା କରିବା ସମୟରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
ପୂର୍ବରୁ ନେଫ୍ଟ ଜରିଆରେ ଟଙ୍କା ନେଣଦେଣ କରିବାର ସମୟସୀମା ସକାଳ ୮ଟାରୁ ସଂନ୍ଧ୍ୟା ୬ଟା୩୦ ରହିଥିବା ବେଳେ ପ୍ରଥମ ଓ ତୃତୀୟ ଶନିବାର ସକାଳ ୮ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ରହୁଥିଲା । ଯାହାଫଳରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ନେଫ୍ଟ ଜରିଆରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଟ୍ରାଞ୍ଜାକ୍ସନ କରି ହେବ ।