ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦିୱାଲି ପୂର୍ବରୁ ଗ୍ରାହକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଦିନ ରେପୋ ରେଟ୍ ହ୍ରାସ ହୋଇଥିବା ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୌଦ୍ରିକ ନୀତିର ସମୀକ୍ଷା ଆଗତ କରିବା ପରେ ରେପୋ ରେଟ୍ ଉପରେ ୨୫ ବେସିସ୍ ପଏଣ୍ଟ ଆଧାରରେ କାଟ୍ ହୋଇଥିବା ଘୋଷଣା କରାଯାଇଛି । ନୂତନ ରେପୋ ରେଟ୍ ହ୍ରାସ ହୋଇ ୫.୧୫ ପ୍ରତିଶତ ହୋଇଯାଇଛି, ପୂର୍ବରୁ ଏହା ୫.୪୦ ପ୍ରତିଶତ ଥିଲା ।
ସେପଟେ ଆରବିଆଇ ପକ୍ଷରୁ ରିଭର୍ସ ରେପୋ ରେଟ୍ କୁ ହ୍ରାସ କରାଯାଇ ୪.୯୦ ପ୍ରତିଶତ ଏବଂ ବ୍ୟାଙ୍କ ରେଟ୍ ହ୍ରାସ କରାଯାଇ ୫.୪୦ ପ୍ରତିଶତ କରାଯାଇଛି ।
ରେପୋ ରେଟ୍ କ’ଣ?
ରେପୋ ରେଟ୍ ହେଉଛି ସେହି ଦର ଯାହା ଉପରେ ବ୍ୟାଙ୍କକୁ ଆରବିଆଇଠାରୁ ନିଆଯାଇଥିବା ଋଣ ଉପରେ ସୁଧ ଦେବାକୁ ପଡିଥାଏ । ଏହା ବଦଳରେ ଆରବିଆଇ ପାଖରେ ବ୍ୟାଙ୍କ ଯେଉଁ ଟଙ୍କା ରଖିଥାଏ, ତାହା ଉପରେ ରିଭର୍ସ ରେପୋ ରେଟ୍ ହିସାବରେ ସୁଧ ମିଳିଥାଏ । ସେଥିପାଇଁ ରେପୋ ରେଟ୍ କମିବା ଏବଂ ବଢିବାରେ ବ୍ୟାଙ୍କ ଉପରେ ପ୍ରଭାବ ପଡିଥାଏ । ସେହି ଅନୁଯାୟୀ ରେପୋ ରେଟ୍ ବଢିବା ଦ୍ୱାରା ଋଣ ଉପରେ ସୁଧ ଦର ବୃଦ୍ଧି ହୋଇଥାଏ, ଏବଂ ରେପୋ ରେଟ୍ କମିବା ଦ୍ୱାରା ଋଣ ଉପରେ ସୁଧ ଦର ହ୍ରାସ ହୋଇଥାଏ । ଏହାଫଳରେ ଋଣ ଶସ୍ତା ହୋଇଯାଇଥାଏ ।