ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୧ ମାନେ ଆଜିଠାରୁ ଦେଶର ଅନେକ ଜିନିଷରେ ପରିବର୍ତ୍ତନ ହେବା ସହ ମହଙ୍ଗା ହୋଇଛି । ଏଥିରୁ ବାଦ ପଡିନି ରନ୍ଧନ ଗ୍ୟାସ ସିଲିଣ୍ଡର । ଆଜ୍ଞା ହଁ ରନ୍ଧନ ଗ୍ୟାସ ଗ୍ରାହକଙ୍କୁ ବଡ ଝଟକା । ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇଛି । ଅଏଲ ମାର୍କେଟିଙ୍ଗ କମ୍ପାନୀ ପକ୍ଷରୁ ବିନା ସବସିଡ୍ ଗ୍ୟାସ ସିଲିଣ୍ଡର ଉପରେ ଦର ବୃଦ୍ଧି କରାଯାଇଛି ।
ବିନା ସବସିଡି ଗ୍ୟାସ ସିଲିଣ୍ଡର ଉପରେ ପାଖାପାଖି ୧୬ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠାରୁ ଦିଲ୍ଲୀରେ ୧୪.୨ ଲିଟରର ବିନା ସବସିଡ୍ ଯୁକ୍ତ ଗ୍ୟାସ ପାଇଁ ୫୯୦ ଟଙ୍କା ଦେବାକୁ ପଡିବ । ସେହିପରି କୋଲକାତାରେ ଏହାର ଦର ୬୧୬.୫୦ ଟଙ୍କା ରହିଛି । ମୁମ୍ବାଇ ଏବଂ ଚେନ୍ନାଇରେ୧୪.୨ ଲିଟର ଗ୍ୟାସ ସିଲିଣ୍ଡର ଦର ୫୬୨ ଏବଂ ୬୦୬.୫୦ ଟଙ୍କା ରହିଛି । ଅନ୍ୟପଟେ ୧୯ ଲିଟର ଗ୍ୟାସ ସିଲିଣ୍ଡର ଦର ଦିଲ୍ଲୀରେ ୧୦୫୪ ଟଙ୍କା ଏବଂ କୋଲକାତାରେ ୧୧୧୪.୫୦, ମୁମ୍ବାଇରେ ୧୦୦୮.୫୦ ଏବଂ ଚେନ୍ନାଇରେ ୧୧୭୪.୫୦ ଟଙ୍କା ରହିଛି ।
ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ବିନା ସବସିଡି ରନ୍ଧନ ଗ୍ୟାସ ସିଲିଣ୍ଡର ଦରରେ ୬୨.୫୦ ହ୍ରାସ କରାଯାଇଥିଲା । ଉପଭୋକ୍ତାଙ୍କୁ ୧୪.୨ ଲିଟର ସବସିଡ୍ ଯୁକ୍ତ ଗ୍ୟାସ ପାଇଁ ୫୭୪.୫୦ ଟଙ୍କା ଦେବାକୁ ପଡୁଥିଲା । ମାତ୍ର ଜୁଲାଇ ମାସରେ ଏହାର ଦର ୬୩୭ ଟଙ୍କା ରହିଥିଲା ।