ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କ ବଡ ଉପହାର ଆଣିଛି ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) । ପ୍ରକୃତରେ ବ୍ୟାଙ୍କ ଏକ୍ସଟର୍ନାଲ ବେଞ୍ଚମାର୍କ ବେଷ୍ଟ ରେଟ୍ ହ୍ରାସ କରିଛି । ରେଟ୍ ହ୍ରାସ ହେବା ପରେ ଏହା ୮.୦୫ ପ୍ରତିଶତ ହ୍ରାସ ହୋଇ ୭.୦୮ ପ୍ରତିଶତ ହୋଇଯାଇଛି । ନୂଆବର୍ଷରୁ ଏହି ନୂତନ ଦର ଲାଗୁ ହେବ । ଏମଏମଏମଇ, ହାଉସିଂ ଏବଂ ରିଟେଲ ଲୋନ୍ କୁ ଇଭିଆର ସହ ଯୋଡିବା ପାଇଁ ନିଷ୍ପତି ନେଇଛି ଏସବିଆଇ । ଏହାଦ୍ୱାରା ଗ୍ରାହକଙ୍କୁ ଖୁବ୍ ଫାଇଦା ହେବ । କାରଣ ସେମାନଙ୍କର ଗୃହ ଋଣର ଇଏମଆଇ କମ୍ ହେବ । ଗୃହ ଋଣ ନେବା ଦ୍ୱାରା ବର୍ଷକୁ ୭.୯୦ ପ୍ରତିଶତରୁ ଆରମ୍ଭ ହେବ । ପୂର୍ବରୁ ଏହି ଦର ୮.୧୫ ପ୍ରତିଶତ ରହିଥିଲା ।
ଏହା ପୂର୍ବରୁ ଡିସେମ୍ବର ମାସରେ ଗ୍ରାହକଙ୍କୁ ବଡ ଉପହାର ଦେଇଥିଲା ଏସବିଆଇ । ଚଳିତ ମାସରେ ଏସବିଆଇ ଗ୍ରାହକଙ୍କର ବାର୍ଷିକ ମାର୍ଜିନାଲ କାଷ୍ଟ ଅଫ୍ ଲେଣ୍ଡିଙ୍ଗ ରେଟ୍(ଏମସିଏଲଆର) ରେ ୧୦ ବିପିଏସ ହ୍ରାସ କରିଥିଲା । ଏହାପରେ ଏହି ଦର ୮ ପ୍ରତିଶତରୁ କମ୍ ହୋଇ ୭.୯୦ ପ୍ରତିଶତ ହୋଇଗଲା । ନୂତନ ଦର ୧୦ ଡିସେମ୍ବର ୨୦୧୯ ଲାଗୁ ହୋଇଥିଲା । ଏହାସହିତ ନଭେମ୍ବର ମାସରେ ବି ଏମସିଏଲଆର ରେ ପରିବର୍ତ୍ତନ କରିଥିଲା ଏସବିଆଇ । ସେତେବେଳେ ବାର୍ଷିକ ଏମସିଏଲଆର ୫ ବିପିଏସ ହ୍ରାସ କରାଯାଇଥିଲା । ଯାହାପରେ ଏହି ଦର ୮.୦୫ ପ୍ରତିଶତରୁ କମ୍ ହୋଇ ୮ ପ୍ରତିଶତ ହୋଇଥିଲା ।
ସୂଚନାନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସର୍କୁଲାର ଜାରି କରି କୁହାଯାଇଥିଲା କି ୧ଅକ୍ଟୋବର ୨୦୧୯ ରୁ ସମସ୍ତ ପ୍ରକାରର ଋଣ ପର୍ସନାଲ ଲୋନ୍, ହୋମ ଲୋନ୍,ରିଟଲ୍ ଲୋନ୍ ଏବଂ ଅନ୍ୟ ଛୋଟ ବଡ ଋଣ ଏକ୍ସର୍ଟନାଲ ବେଞ୍ଚମାର୍କ କରାଯିବ ।
ଆରବିଆଇର ୪ ପ୍ରକାରର ବେଞ୍ଚମାର୍କ ରହିଛି । ଯେପରିକି ଆରବିଆଇ ରେପୋ ରେଟ୍, କେନ୍ଦ୍ର ସରକାରଙ୍କ ୩ ବର୍ଷିଆ ଟ୍ରେଜରୀ ବିଲ୍ ୱିଲ୍ଡ, କେନ୍ଦ୍ର ସରକାରଙ୍କ ଦ୍ୱାରା ୬ ମାସିଆ ଟ୍ରେଜେରୀ ବିଲ୍ ଏବଂ ଏଫବିଆଇଏଲ ଦ୍ୱାରା କରାଯାଇଥିବା ଅନ୍ୟ ବେଞ୍ଚମାର୍କ ।