ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଅକ୍ଟୋବର ୧ ରୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମାନୁଯାୟୀ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରାଯିବ । ଏଥିରେ ବ୍ୟାଙ୍କରେ ଟଙ୍କା ଜମା କରିବା , ଟଙ୍କା ଉଠାଇବା , ଚେକ୍ ବ୍ୟବହାର, ଏଟିଏମ ଟ୍ରାଞ୍ଜାକ୍ସନ ସହିତ ଜଡିତ ସର୍ଭିସ ଚାର୍ଜ ସାମିଲ ଅଛି । ସର୍ଭିସ ଚାର୍ଜରେ ପରିବର୍ତ୍ତନକୁ ନେଇ ଏସବିଆଇ ତାର ୱେବସାଇଟରେ ଏକ ସର୍କ୍ୟୁଲାର ମଧ୍ୟ ଜାରି କରିଛି ।
ବ୍ୟାଙ୍କର ସର୍କ୍ୟୁଲାର ଅନୁଯାୟୀ ଅକ୍ଟୋବର ୧ ପରେ ଆପଣ ଗୋଟେ ମାସ ଭିତରେ ଆପଣଙ୍କ ଖାତାରେ ୩ ଥର ହିଁ ମାଗଣାରେ ଟଙ୍କା ଜମା କରି ପାରିବେ । ଯଦି ୩ ଥରରୁ ଅଧିକ ଥର ଟଙ୍କା ଜମା କରନ୍ତି ତେବେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ଉପରେ ୫୦ ଟଙ୍କା ସହିତ ଅତିରିକ୍ତ ଜିଏସଟି ଚାର୍ଜ ଦେବାକୁ ପଡିବ । ସର୍ଭିସ ଚାର୍ଜରୁ ବ୍ୟାଙ୍କ ୧୨ ପ୍ରତିଶତ ଜିଏସଟି ଉଠାଇଥାଏ । ଏହି ରୂପେ ୪ର୍ଥ , ୫ମ ବା ଅଧିକ ଥର ଟଙ୍କା ଜମା କରିବା ଉପରେ ପ୍ରତ୍ୟେକ ଥର ୫୬ ଟଙ୍କା ଅଧିକ ଦେବାକୁ ପଡିବ ।
ସେପଟେ ଚେକ୍ ରିଟର୍ଣ୍ଣ ଉପରେ ବି କଡା ନିୟମ କରାଯାଇଛି । ନିୟମାନୁଯାୟୀ ଯଦି କୌଣସି ଚେକ୍ ବାଉଁନ୍ସ ବ୍ୟତିତ ଯାନ୍ତ୍ରିକ ତୃଟି ଯୋଗୁଁ ଫେରୁଛି ତେବେ ଚେକ୍ ଜାରି କରିଥିବା ବ୍ୟକ୍ତିଙ୍କ ଉପରେ ୧୫୦ ଟଙ୍କା ଏବଂ ଅତିରିକ୍ତ ଜିଏସଟି ଚାର୍ଜ ଲାଗୁ କରାଯିବ ।
ଏହାସହିତ ଏସବିଆଇ ପକ୍ଷରୁ ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ(ଆରଟିଜିଏସ)ରେ ଲାଗିବାକୁ ଥିବା ଚାର୍ଜ ଉପରେ ଛୁଟ୍ ଦିଆଯାଇଛି । ଅକ୍ଟୋବର ୧ ରୁ ବ୍ୟାଙ୍କକୁ ଯାଇ ଆରଟିଜିଏସ କରିବା ଶସ୍ତା ହୋଇଯିବ । ୨ ରୁ ୫ ଲକ୍ଷ ଟଙ୍କାର ଆରଟିଜିଏସ ଉପରେ ୨୦ ଟଙ୍କା ଏଚାର୍ଜ ଲାଗିବ । ସେହିପରି ୫ ଲକ୍ଷରୁ ଅଧିକ ଆରଟିଜିଏସ ଉପରେ ୪୦ ଟଙ୍କା ଏବଂ ଅତରିକ୍ତ ଜିଏସଟି ଚାର୍ଜ ଲାଗୁ ହେବ ।