ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ଥିବା ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ବସିବେ । ଏହାବ୍ୟତିତ ଦୀପାବଳୀ ଛୁଟି ପାଇଁ ଲଗାତର ଚାରିଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ଧର୍ମଘଟରେ ବ୍ୟାଙ୍କିଂ ସେବା ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି ।
କର୍ମଚାରୀ ସଂଗଠନର ଏହି ଘୋଷଣା ଦ୍ୱାରା ଫେଷ୍ଟିୱାଲ ସିଜିନ୍ରେ ବ୍ୟାଙ୍କିଂ ସେବା ଉପରେ ପ୍ରଭାବ ପଡିପାରେ । ଯାହାଫଳରେ ଲୋକେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଅଲ ଇଣ୍ଡିଆ ବ୍ୟାଙ୍କ ଇଂପ୍ଲୋଇ ୟୁନିୟନ (ଏଆଇବିଇଏ) ଏବଂ ବ୍ୟାଙ୍କିଂ ଇଂପ୍ଲୋଇ ଫେଡରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଧର୍ମଘଟ ଡକାଯାଇଛି । ବ୍ୟାଙ୍କ ଗୁଡିକ ମର୍ଜ ହେବା ଏବଂ ଜମା ରାଶି ଉପରେ ସୁଧ ଦର କମିବାର ବିରୋଧରେ ଏହି ଧର୍ମଘଟ ହେବ । ହୁଏତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି, ଏହି ଧର୍ମଘଟରେ ତାଙ୍କର କୌଣସି ସମସ୍ୟା ଦେଖାଯିବ ନାହିଁ । ମାତ୍ର ବ୍ୟାଙ୍କ ଅଫ୍ ବରୋଦା,ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ଭଳି ବ୍ୟାଙ୍କ ମାନଙ୍କରେ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିବ, କାରଣ ଏହି ବ୍ୟାଙ୍କ ଗୁଡିକରେ ଏହି ଦୁଇ ୟୁନିୟନ ସହ ଜଡିତ କର୍ମଚାରୀ ସଂଖ୍ୟା ଅଧିକ ।
ଧର୍ମଘଟ ପରେ ବ୍ୟାଙ୍କ ଚାରି ଦିନ କାଳ ବନ୍ଦ ରହିବ । କାରଣ ଅକ୍ଟୋବର ୨୬ରେ ଚତୁର୍ଥ ଶନିବାର, ଅକ୍ଟୋର ୨୭ ରବିବାର ଏବଂ ଦୀପାବଳୀ, ଅକ୍ଟୋବର ୨୮ ଗୋବର୍ଦ୍ଧନ ପୂଜା ଏବଂ ଅକ୍ଟୋବର ୨୯ ରେ ଭାଇଦୁଜ ପଡୁଥିବାରୁ କେତେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିପାରେ ।
ବ୍ୟାଙ୍କ ବନ୍ଦ ହେବା ଦ୍ୱାରା ଏଟିଏମରୁ ଟଙ୍କା ବାହାର କରିବାରେ ସମସ୍ୟା ଉପୁଜିପାରେ । କାରଣ ଏଟିଏମରେ ଦୁଇ ଦିନ ପାଇଁ ରିଜର୍ଭ କ୍ୟାସ ରହିଥାଏ । ସେହିପରି ଚେକ୍ କ୍ଲିୟର ପାଇଁ ମଧ୍ୟ ସମସ୍ୟା ହେବ ।
ସେପଟେ ବ୍ୟାଙ୍କ ଗୁଡିକର ମର୍ଜ ପ୍ରକ୍ରିୟା ବିରୋଧରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଫେଡରେସନ ପକ୍ଷରୁ କୁହାଯାଇଥିଲା କି ଆମେ ସରକାରଙ୍କ ଏହି ମର୍ଜ ପଦକ୍ଷେପକୁ ବିରୋଧ କରୁଛୁ ।