ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରାତନ ଟେଲିକମ୍ କମ୍ପାନୀ ଭୋଡାଫୋନ୍, ଆଇଡିଆ ଏବଂ ଭାରତୀ ଏୟାରଟେଲ ବନ୍ଦ ହୋଇପାରେ । ଯାହାଫଳରେ କୋଟି କୋଟି ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ନିକଟରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ(ଏଜିଆର) ରେ ସୁପ୍ରିମ କୋର୍ଟ ଦ୍ୱାରା ଦିଆଯାଇଥିବା ଆଦେଶ ପରଠୁ କମ୍ପାନୀ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ କମ୍ପାନୀ ଅଧିକ ମାତ୍ରାରେ ଘାଟା ସହୁଛି ।
ଚଳିତ ସପ୍ତାହରେ ଆଦିତ୍ୟ ବିଡ୍ଲା ଗ୍ରୁପ୍ ପକ୍ଷରୁ କୁହାଯାଇଥିଲା କି ଯଦି ସରକାର ଏଜିଆର କୁ ନେଇ ୩୯ ହଜାର କୋଟି ଟଙ୍କାରୁ ଅଧିକ ଦାୟିତ୍ୱ ଉପରେ ଅଶ୍ୱସ୍ତି ନଦିଅନ୍ତି ତେବେ ସେ ଆଉ କମ୍ପାନୀରେ ନିବେଶ କରିବେ ନାହିଁ । ଯାହାଦ୍ୱାରା ଭୋଡାଫୋନ୍ ଏବଂ ଆଇଡିଆ କମ୍ପାନୀ ଦେବାଳିଆ ହୋଇପାରନ୍ତି ।
ଗତ ମାସରେ ସୁପ୍ରିମ କୋର୍ଟ ପକ୍ଷରୁ ଦୂରସଂଚାର ବିଭାଗର ଲେବି ଏବଂ ସୁଧ ଦର ଅନୁଯାୟୀ ୧୩ କୋଟି ଡଲାର ଦାବିକୁ ଉଚିତ୍ ବୋଲି କୁହାଯାଇଥିଲା, ଯେଉଁଥିରେ ଭୋଡାଫୋନ୍,ଆଇଡିଆ, ଏବଂ ଭାରତୀ ଏୟାରଟେଲର ଶେୟାରକୁ ବଡ ଝଟକା ଲାଗିଛି । ଯେଉଁଥି ପାଇଁ କମ୍ପାନୀ ଗୁଡିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଏନେଇ ଭୋଡାଫୋନ୍ କମ୍ପାନି କହିଛି କି, ବ୍ୟବସାୟକୁ ଜାରି ରଖିବା ପାଇଁ ଏବେ ସେ ସମ୍ପୂର୍ଣ୍ଣ ଭାବେ ସରକାର ଉପରେ ନିର୍ଭର । ଏକ ବୟାନରେ କମ୍ପାନୀ କହିଛି କି ଏଜିଆର ମାମଲାରେ କୋର୍ଟ ଆଦେଶ ଦ୍ୱାରା ଇଣ୍ଡଷ୍ଟ୍ରି ଉପରେ ଅଧିକ ପ୍ରଭାବ ପଡୁଛି ।
ସୁପ୍ରିମକୋର୍ଟର ଏରିୟର ଦେବା ଆଦେଶରେ ଭାରତୀ ଏୟାରଟେଲକୁ ବି ବଡ ଝଟକା ଲାଗିଛି । ଗୁରୁବାର ଜାରି କରାଯାଇଥିବା ଫଳାଫଳ ମୁତାବକ୍, ଦୂରସଂଚାର କମ୍ପାନୀକୁ ଜୁଲାଇ ରୁ ସେପ୍ଟମ୍ବର ୨୦୧୯ ତ୍ରିମାସରେ ୨୩,୦୪୫ କୋଟି ଟଙ୍କାର ଘାଟା ସହିବାକୁ ପଡିଛି ।