ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସଂଶୋଧିତ ନାଗରିକତା ଆଇନକୁ ନେଇ ଦିଲ୍ଲୀରେ ଗତ ତିନି ଦିନ ହେବ ହିଂସାର ପରିବେଶ ସୃଷ୍ଟି ହୋଇ ରହିଛି । ସିଏଏ କୁ ସମର୍ଥନ କରୁଥିବା ଗୋଷ୍ଠି ଓ ଏହାକୁ ବିରୋଧ କରୁଥିବା ଗୋଷ୍ଠି ମଧ୍ୟରେ ଏହି ହିଂସାରେ ଏପର୍ଯ୍ୟନ୍ତ ୯ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।
ଗତ ୩୦ବର୍ଷ ଭିତରେ ହୋଇଥିବା ହିଂସା ମଧ୍ୟରେ ଏହା ସବୁଠାରୁ ବଡ ହିଂସା । ଏଥିପାଇଁ ଏବେ ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଏଥିସହିତ ଦଙ୍ଗାକାରୀ ମାନଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଏହି ହିଂସାରେ ଦିଲ୍ଲୀ ପୋଲିସର ଜଣେ ହେଡ୍ କନେଷ୍ଟବଳଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଷ୍ଟ୍ରର ରାଜଧାନୀ ଅସୁରକ୍ଷିତ ମନେ ହେଉଛି । ସମଗ୍ର ଦିଲ୍ଲୀ ସହର ଏବେ ପୋଲିସ ଛାଉଣୀରେ ।
ଉତ୍ତରପୂର୍ବ ଦିଲ୍ଲୀରେ ଆଜି ସକାଳୁ ମଧ୍ୟ କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଏଥିପାଇଁ ସମଗ୍ର ଉତ୍ତରପୂର୍ବ ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି । ଏଥି ସହିତ ନଏଡା ସମେତ ପ୍ରମୁଖ ସ୍ଥାନ ମାନଙ୍କରେ ରେଡ୍ ଆଲର୍ଟ ଜାରି କରାଯାଇଛି ।ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବଢୁଥିବା ହିଂସା ପୋଲିସ ସମେତ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।