ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଦେଶରେ ଅନେକ ନିୟମ ପରିବର୍ତ୍ତନ ହୋଇଛି । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡିବ । ଗ୍ୟାସ ସିଲିଣ୍ଡର ବୁକିଂ କରିବାଠୁ ନେଇ ବ୍ୟାଙ୍କ ଚାର୍ଜ ପର୍ଯ୍ୟନ୍ତ ଅନେକ ନିମୟରେ ପରିବର୍ତ୍ତନ କରାଯାଇଛି । କେବଳ ଏତିକି ନୁହେଁ ଆଜିଠୁ ଭାରତୀୟ ରେଲୱେର ଟାଇମ ଟେବୁଲରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ନଭେମ୍ବର ୧ ଅର୍ଥାତ ଆଜିଠୁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରିବା ଏବଂ ଡେଲିଭରିର ପୁରା ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏବେ ଗ୍ୟାସ ବୁକିଂ ପରେ ଗ୍ରାହକଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଯେତେବେଳେ ସିଲିଣ୍ଡର ଡେଲିଭରି କରାଯିବ ସେତେବେଳେ ଏହି ଓଟିପି ନମ୍ବର ଡେଲିଭରି ବଏକୁ ଦେବା ବାଧ୍ୟତାମୂଳକ । ଏହି କୋଡକୁ ସିଷ୍ଟମରେ ମ୍ୟାଚ କରିବା ପରେ ଗ୍ରାହକଙ୍କୁ ଗ୍ୟାସ ଡେଲିଭରି କରାଯିବ । ଯଦି କୌଣସି ଗ୍ରାହକ ତାଙ୍କ ଡିଷ୍ଟ୍ରିବୁଟଙ୍କୁ ମୋବାଇଲ ନମ୍ବର ଅପଡେଟ କରେଇ ନାହାନ୍ତି ତେବେ ଡେଲିଭରି ବଏ ନିକଟରେ ଥିବା ଆପ ଜରିଆରେ ଗ୍ରାହକ ରିୟଲ ଟାଇମ ଓପନ ନମ୍ବରର ଅପଡେଶନ କରାଇ ପାରିବେ । ଏହାପରେ କୋଡ ଜେନେରେଟ ହୋଇଯିବ । କିନ୍ତୁ ଏହି ପ୍ରକ୍ରିୟା ସେହି ଗ୍ରାହକଙ୍କ ପାଇଁ ସମସ୍ୟା ହୋଇପାରେ ଯେଉଁମାନଙ୍କର ଠିକଣା ଏବଂ ମୋବାଇଲ ନମ୍ବର ଭୁଲ ଅଛି । ସେଥିପାଇଁ ଉକ୍ତ ଗ୍ରାହକଙ୍କ ସିଲିଣ୍ଡର ଡେଲିଭରି କରାଯାଇ ନପାରେ । ଏହି ପ୍ରକ୍ରିୟା ପ୍ରଥମେ ୧୦୦ ଟି ସିଟିରେ ଲାଗୁ କରାଯାଉଛି ପରେ ଅନ୍ୟ ସହର ମାନଙ୍କରେ ଲାଗୁ କରାଯିବ ।
ଆଜିଠାରୁ ଇଣ୍ଡିଆନ ଗ୍ୟାସ ଗ୍ରାହକ ତାଙ୍କ ପୁରୁଣା ନମ୍ବରରେ ଗ୍ୟାସ ବୁକ୍ କରି ପାରିବେ ନାହିଁ । ପ୍ରକୃତରେ ଇଣ୍ଡିଆନ ଗ୍ୟାସ ତାର ଏଲପିଜି ଗ୍ରାହକଙ୍କୁ ତାଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଗ୍ୟାସ ବୁକ୍ କରିବା ପାଇଁ ନମ୍ବର ପଠାଇ ଦେଇଛି । ଏହାପରେ ଦେଶରେ ଇଣ୍ଡିଆନ ଗ୍ରାସ ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ୭୭୧୮୯୫୫୫୫୫ ରେ କଲ ବା ମେସେଜ କରିବାକୁ ହେବ ।
ନୂତନ ନିୟମ ଅନୁଯାୟୀ ନଭେମ୍ବର ୧ରୁ ବ୍ୟାଙ୍କରୁ ଟଙ୍କା ଜମା କରିବା ଏବଂ ଉଠାଣ ଉପରେ ଶୁଳ୍କ ଦେବାକୁ ହେବ । ବ୍ୟାଙ୍କ ଅଫ୍ ବରୋଦା ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଛି । ସେହିପରି ଆଗାମୀ ମାସରୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ୟାଙ୍କିଂ କରିବା ଦ୍ୱାରା ବି ଅଲଗା ଚାର୍ଜ ଲାଗିବ । ଋଣ ଖାତା ପାଇଁ ମାସକୁ ତିନି ଥର ପରେ ଯେତେଥର ଟଙ୍କା ଉଠାଇବେ ତାଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ । ସେହିପରି ସେଭିଙ୍ଗ ଆକାଉଣ୍ଟରେ ଗ୍ରାହକଙ୍କୁ ତିନି ଥର ପର୍ଯ୍ୟନ୍ତ ଟଙ୍କା ଜମା କରିବା ମାଗଣା ରହିବ ଏହାପରେ ୪୦ ଟଙ୍କା ଲେଖାଁଏ ଶୁଳ୍କ ଦେବାକୁ ପଡିବ ।
ଅନ୍ୟପଟେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ବି କିଛି ନିମୟରେ ପରିବର୍ତ୍ତନ କରିଛି । ଏବେ ଏସବିଆଇର ସେଭିଙ୍ଗସ ଆକାଉଣ୍ଟରେ କମ ସୁଧ ମିଳିବ । ଏହାସହିତ ଯେଉଁ ସେଭିଙ୍ଗସ ଆକାଉଣ୍ଟରେ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରହିଛି ତାଉପରେ ସୁଧ ଦର ୦.୨୫ ପ୍ରତିଶତରୁ ହ୍ରାସ ହୋଇ ୩.୨୫ ପ୍ରତିଶତ ହୋଇଯିବ । ସେହିପରି ଏକ ଲକ୍ଷରର ଅଧିକ ଟଙ୍କା ଜମା କରିବା ଉପରେ ଏବେ ରେପୋ ରେଟ ଅନୁସାରେ ସୁଧ ମିଳିବ ।
ଭାରତୀୟ ରେଲୱେ ସାରା ଦେଶରେ ତାର ଟ୍ରେନର ଟାଇମ ଟେବୁଲ ରେ ବି ପରିବର୍ତ୍ତନ କରିଛି । ଆଜିଠୁ ନୂତନ ଟାଇମ ଟେବୁଲ ଲାଗୁ ହୋଇଯାଇଛି । ସେହିଅନୁଯାୟୀ ୧୩ ହଜାର ପାସେଞ୍ଜର ଟ୍ରେନ ଏବଂ ୭ ହଜାର ମାଲଗାଡିର ସମୟ ପରିବର୍ତ୍ତନ ହୋଇଛି । ସେହିପରି ୩୦ଟି ରାଜଧାନୀ ଟ୍ରେନର ବି ସମୟ ପରିବର୍ତ୍ତନ ହୋଇଛି ।