ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନାର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଆଜି କରୋନା ପାଇଁ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ . ୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଉଜ୍ଜଳା ଯୋଜନାରେ ୩ ମାସ ପର୍ଯ୍ୟନ୍ତ ମାଗଣା ରୋଷେଇ ଗ୍ୟାସ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଦେଶର ୮ କୋଟି ମହିଳାଙ୍କୁ ଏହି ଯୋଜନାରେ ଇନ୍ଧନ ଗ୍ୟାସ ୩ ମାସ ପର୍ଯ୍ୟନ୍ତ ଯୋଗାଇ ଦେବେ ସରକାର ।
ଅଗଷ୍ଟ ୧ , ୨୦୧୯ ମସିହା ଠାରୁ ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ସରକାରଙ୍କ ଏହି ସୁବିଧା ପାଇ ପାରିବେ । ସୂଚନାଯୋଗ୍ୟ ଯେଉଁ ବ୍ୟକ୍ତି ଏହି ଭାଇରସ ପାଇଁ ଲଢେଇ କରୁଛନ୍ତି ଯଥା ଚିକିତ୍ସା କ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଜୀବନ ବୀମା ଦିଆଯିବ । ସେହିପରି ଆଗାମୀ ତିନି ମାସ ପର୍ୟ୍ୟନ୍ତ ୮୦ କୋଟି ଗରିବଙ୍କୁ ୫ କିଲୋ ଲେଖାଏଁ ଚାଉଳ ଏବଂ ଗହମ ଦିଆଯିବ । ଏହାସହିତ ଗୋଟେ କିଲୋ ଡାଲି ମଧ୍ୟ ଦିଆଯିବ । ଜନଧନ ଖାତାଧାରକଙ୍କୁ ଆଗାମୀ ତିନି ମାସ ପର୍ୟ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଦିଆଯିବ । ଏହାଦ୍ୱାରା ୨୦ କୋଟି ମହିଳାଙ୍କୁ ଫାଇଦା ହେବ । ଏହି ଟଙ୍କା ବି ସିଧା ସଳଖ ବେନିଫିଟ୍ ଟ୍ରାନ୍ସଫର ସ୍କିମ୍ ଅନୁଯାୟୀ ଦିଆଯିବ । ଏପ୍ରିଲ ମାସର ପ୍ରଥମ ସପ୍ତାହରେ କୃଷକ ସମ୍ମାନ ନିଧି ଅନୁଯାୟୀ କୃଷକଙ୍କ ଖାତାରେ ୨୦୦୦ ଟଙ୍କାର କିସ୍ତି ଦିଆଯିବ ।