ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି କେରଳରେ । କେରଳର ଜଣେ ଛାତ୍ର ଏହି ଭୟଙ୍କର ମହାମାରୀ ରୋଗର ଶୀକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଛାତ୍ର ଜଣଙ୍କ ଚୀନର ଏକ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଥିଲେ । ସେଠାରେ ସେ ଏହି ରୋଗର ଆକ୍ରାନ୍ତ ହୋଇଛନ୍ତି । ଯୁବକ ଜଣଙ୍କ କେରଳ ଆସିଛନ୍ତି । ଏହି ରୋଗ ଚିହ୍ନଟ ହେବା ପରେ ତାଙ୍କୁ ଏକ ହସ୍ପିଟାଲରେ ରଖାଯାଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ସୂଚନାଯୋଗ୍ୟ ଏହି ଭୟଙ୍କର ଭାଇରସ ଏବେ ଚୀନରୁ ଅନ୍ୟ ରାଷ୍ଟ୍ରମାନଙ୍କୁ ବ୍ୟାପୁଥିବା ଦେଖା ଦେଇଛି । ଚୀନରେ ଏବେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୭୦ କୁ ପହଞ୍ଚିଲାଣି ।
ମୃତ୍ୟୁ ସଂଖ୍ୟା ଯେଉଁଭଳି ଭାବେ ବଢି ଚାଲିଛି ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣୀତ ହେବାରେ ଲାଗିଛି । ଚିନ ଏହି ଭାଇରସ ଉପରେ ରୋକ ଲାଗାଇବାକୁ ଶତଚେଷ୍ଟା କରୁଥିଲେ ମଧ୍ୟ ଏହା କମିବାର ନାଁ ଧରୁନାହିଁ । କରୋନା ଭାଇରସକୁ ନେଇ ଚୀନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ମୃତ୍ୟୁ ସଂଖ୍ୟା ୧୭୦ ପହଞ୍ଚିଥିବା ବେଳେ ୧୩୭୦ ରୁ ଅଧିକ ଲୋକ ଗୁରୁତର ଆକ୍ରାନ୍ତ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣଙ୍କ ଜୀବନ ଚାଲି ଯାଇଛି । ଚୀନରେ ଏହି ସ୍ଥିିତିକୁ ଦେଖି ଉହାନରେ ଫସିଥିବା ୧୯୫ ଜଣ ଆମେରିକୀୟ ନାଗରିକଙ୍କୁ ୱାଶିଂଟନ ପକ୍ଷରୁ ନିଜ ଦେଶକୁ ଫେରାଇ ନିଆଯାଇଛି। ଭାରତ ପକ୍ଷରୁ ମଧ୍ୟ ନାଗରିକ ମାନଙ୍କୁ ଚୀନ ନଯିବାକୁ କୁହାଯାଇଛି ।