ମୁମ୍ବାଇ,(ଏଟିଆରବ୍ୟୁରୋ): କାର ଖରାପ ଥିଲା । ମେକାନିକ ପାଖକୁ ନେଲେ । ମେକାନିକ ଲାଗିପାତି ଗାଡିଟିକୁ ଠିକ କଲେ । ଖର୍ଚ୍ଚ ହେଲା ୨ଲକ୍ଷ ୮୦ହଜାର ୧୫୮ଟଙ୍କା । ହେଲେ ଟଙ୍କା ମାଗିବା ବେଳକୁ ଧରାଛୁଆଁ ଦେଲେନାହିଁ । ବରଂ ଓଲଟି ଧମକ ଦେଲେ । ଏଭଳି ସଂଗିନ ଅଭିଯୋଗ ଉଠିଛି ବଲିଉଡର ଅଭିନେତା ଆଦିତ୍ୟ ପାଞ୍ଚୋଲିନଙ୍କ ନାଁରେ । କେବଳ ଅଭିଯୋଗ ତ’ ଉଠିନି ବରଂ ମାମଲା ବି ଦାୟର କରାଯାଇଛି ।
କାର ମେକାନିକ ମୁମ୍ବାଇ ଥାନାରେ ଅଭିଯୋଗ କରିଛନ୍ତି । ରିପୋର୍ଟ ଅନୁସାରେ, ଆଦିତ୍ୟଙ୍କ କାର ଖରାପ ଥିବା ବେଳେ ସେ ତାକୁ ମରାମତି କରିବା ଲାଗି ଦେଇଥିଲେ । କାର ମରାମତି ପରେ ଆଦିତ୍ୟ ତାଙ୍କୁ ଆଉ ଟଙ୍କା ଦେଇନଥିଲେ । ଟଙ୍କା ମାଗିବାକୁ ବାରମ୍ବାର ଦୌଡି ଦୌଡି ହତାସ ହୋଇଥିଲେ ମେକାନିକ । ସେ ଏହାମଧ୍ୟ କହିଛନ୍ତି ଆଦିତ୍ୟ ତାଙ୍କ ଫୋନ ଉଠାଉନାହାନ୍ତି ଏବଂ ଯଦିବା ଉଠାଉଛନ୍ତି ତେବେ ଧମକ ଦେଉଛନ୍ତି । ସେପଟେ ଅଭିଯୋଗକୁ ଗ୍ରହଣ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।