ଗୋଆ (ଏଟିଆର ବ୍ୟୁରୋ ) ; ହ୍ୟାକ ହେଲା ବିଜେପିର ୱେବସାଇଟ୍ । ସୋମବାର ଗୋଆ ଭାରତୀୟ ଜନତା ପାର୍ଟିର ଏକ ୱେବସାଇଟ୍ କୁ ହ୍ୟାକର୍ସ ମାନେ ଅତି ଚାଲାଖିର ସହ ହ୍ୟାକ କରିନେଇଛନ୍ତି । ଖାଲି ହ୍ୟାକ କରିନାହାନ୍ତି ବରଂ ହ୍ୟାକ କରିବା ପରେ ୱେବସାଇଟ୍ ପେଜରେ ପାକିସ୍ତାନ ଜିନ୍ଦାବାଦ ବୋଲି ଲେଖିଦେଇଛନ୍ତି ସେମାନେ । ତେବେ ଗୋଆ ଭାରତୀୟ ଜନତାପାର୍ଟିର ଏହା ପୁରଣା ୱେବସାଇଟ୍ ବୋଲି ଜଣାପଡିଛି ।
ପ୍ରଥମେ ୱେବସାଇଟ୍ ହ୍ୟାକ ହେବାପରେ ସେଥିରେ ଏଥିରେ ‘ଟିମ୍ ପିସିଇ’ ଏବଂ ମହମ୍ମଦ ବିଲାଲ୍ ଲେଖାଯାଇଥିଲା । ଗୋଆ ଭାରତୀୟ ଜନତା ପାର୍ଟିର ଆଇଟି ବିଭାଗ ସହ ଜଡିତ ଥିବା ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ହ୍ୟାକ ହୋଇଥିବା ୱେବସାଇଟ୍ ଟି ପୁରୁଣା ବୋଲି ଅଧିକାରୀ ଜଣକ କହିଛନ୍ତି । ତେବେ ନୂଆ ୱେବସାଇଟ୍କୁ ହ୍ୟାକ କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି ।
ବିଜେପିର ନୂଆ ୱେବସାଇଟରେ ଆଣ୍ଟି-ହ୍ୟାକିଂ ସିକ୍ୟୋରିଟି ବ୍ୟବସ୍ଥା ରହିଥିବାରୁ ଏହାକୁ ହ୍ୟାକ କରିବା ବହୁ କଷ୍ଟକର ବୋଲି ଆଇଟି ଅଧିକାରୀ ଜଣକ କହିଛନ୍ତି । ସେପଟେ ହ୍ୟାକ ସମ୍ବନ୍ଧରେ କୌଣସି ସୂଚନା ଦେବାକୁ ମନାକରିଦେଇଛନ୍ତି ବିଜେପିର ଗୋଆ ମହାସଚିବ ସଦାନନ୍ଦ ତନାବଡେ । ସବୁଠୁ ବଡ କଥା ଯେ ହ୍ୟାକ ହେବାର ଅନେକ ସମୟ ବିତିଯାଇଥିଲେ ହେଁ ବିଜେପି ପକ୍ଷରୁ ଏ ବିଷୟରେ ପୋଲିସକୁ ଅଭିଯୋଗ କରାଯାଇନାହିଁ । ସେପଟେ ଦିନକୁ ଦିନ ପାକିସ୍ତାନ ପକ୍ଷରୁ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ୱେବସାଇଟ୍ ହ୍ୟାକ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି ।