ନୂଆଦିଲ୍ଲୀ (ଏଟିଆରବ୍ୟୁରୋ): ନୂଆ ବର୍ଷରୁ ଦେଶରେ ୧୦ ନିୟମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଜୀବନରେ ପଡିପାରେ । ଏହି ନୂୂତନ ପରିବର୍ତ୍ତନ ହେବା ଦ୍ୱାରା କିଛି କ୍ଷେତ୍ରରେ ଆପଣଙ୍କୁ ଆଶ୍ୱସ୍ତି ମିଳିବା ସହିତ ଆଉ କିଛି କ୍ଷେତ୍ରରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ପରିବର୍ତ୍ତନ ହେବାକୁ ଥିବା ଏହି ନିୟମରେ ଫାସଟାଗ୍, ଜିଏସଟି, ଗ୍ୟାସ ସିଲିଣ୍ଡର, ଜୀବନ ବୀମା ପଲିସି, ଚେକ ପେମେଣ୍ଟ, କଲିଙ୍ଗ, ହ୍ୱାଟ୍ସଆପ୍, ଗାଡି ଆଦି ସାମିଲ ଅଛି । ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ବିଷୟରେ..
ନୂଆବର୍ଷ ଆରମ୍ଭରୁ ଚେକ୍ ପେମେଣ୍ଟ ସହ ଜଡିତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାକିଂ ଫ୍ରଡକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାନୁଆରୀ ୨୦୨୧ ରୁ ଚେକ୍ ର ପଜିଟିଭ ପେ ସିଷ୍ଟମ ଲାଗୁ କରିବାର ନିଷ୍ପତି ନେଇଛି । ଏନେଇ ଅଗଷ୍ଟ ମାସରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଥିଲେ ।
ପଜିଟିଭ ପେ ସିଷ୍ଟମ ଅନୁଯାୟୀ, କୌଣସି ଥାର୍ଡ ପାର୍ଟିକୁ ଚେକ୍ ଜାରି କରୁଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କକୁ ନିଜ ଚେକ୍ ର ସୂଚନା ଦେବାକୁ ହେବ । ଏହି ସିଷ୍ଟମ ଦ୍ୱାରା ୫୦ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରୁଥିବା ଚେକ୍ କୁ ରିକନଫର୍ମ କରିବାକୁ ହେବ । ଏହି ସିଷ୍ଟମ ଜରିଆରେ ଚେକ୍ କ୍ଲିଅରାନ୍ସରେ ବି କମ ସମୟ ଲାଗିବ । ସେହିପରି ଚେକ୍ ଜାରି କରୁଥିବା ବ୍ୟକ୍ତିଙ୍କୁ ଇଲେକ୍ଟ୍ରନିକ ମାଧ୍ୟମରେ ଚେକ୍ ର ତାରିଖ, ନାମ, ଟଙ୍କା ବିଷୟରେ ଦ୍ୱିତୀୟ ଥର ସୂଚନା ଦେବାକୁ ହେବ ।
ସେହିପରି ଜାନୁଆରୀ ପହିଲାରୁ ସମସ୍ତ ବୀମା କମ୍ପାନୀ ‘ସରଳ ବୀମା ପଲିସି’ ଲଞ୍ଚ କରିବାକୁ ଯାଉଛନ୍ତି । ଏଥିରେ କମ ପ୍ରିମିୟମରେ ଟର୍ମ ପ୍ଲାନ କିଣିବାର ମଉକା ମିଳିବ । ଇରଡା ର ନିର୍ଦ୍ଦେଶକ୍ରମେ ବୀମା କମ୍ପାନୀ ଗୁଡିକ ସରଳ ଜୀବନ ବୀମା ପଲିସି ଲଞ୍ଚ କରିବାକୁ ଯାଉଛନ୍ତି । ଏହି ପଲିସି ପାଇଁ ସମସ୍ତ ବୀମା କମ୍ପାନୀର ନିୟମ ଏବଂ ସର୍ତ ସମାନ ରହିବ । ସବୁଠୁ ଖାସ୍ କଥା ହେଉଛି ଏଥିରେ କଭର ରାଶି ଏବଂ ପ୍ରିମିୟମ ମଧ୍ୟ ସମାନ ରହିବ । ଏହି କାରଣ ପାଇଁ କ୍ଲେମ ସମୟରେ ବିବାଦର ଆଶଙ୍କା ବହୁତ କମ ହୋଇଯିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଟିଏମକାର୍ଡ ଏବଂ ୟୁପିଆଇ ଦ୍ୱାରା କଣ୍ଟାକ୍ଟଲେସ ନେଣଦେଣର ନିୟମରେ ପରିବର୍ତ୍ତନ କରାଯାଇଛି । ଏନେଇ ଆରବିଆଇ ପକ୍ଷରୁ କୁହାଯାଇଛି କି, ୟୁପିଆଇ ଦ୍ୱାରା କଣ୍ଟାକ୍ଟଲେସ ନେଣ-ଦେଣ ର ସୀମାକୁ ୨ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୫ ହଜାର ଟଙ୍କା କରାଯାଇଛି । ଯାହା ୧ ଜାନ୍ରୁଆରୀ ୨୦୨୧ ରୁ ଲାଗୁ ହେବ ।
ଜାନୁଆରୀ ୧ରୁ କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଚାରି ଚକିଆ ବାହନ ପାଇଁ ଫାସଟାଗ ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲାଇଜେସନକୁ ବୃଦ୍ଧି କରାଇବା ପାଇଁ ଦେଶର ସମସ୍ତ ଟୋଲପ୍ଲାଜାରେ ନଗଦ ନେଣଦେଣ ସମ୍ପୂର୍ଣ୍ଣ ବନ୍ଦ କରୁଛନ୍ତି କେନ୍ଦ୍ରସରକାର । ଏନେଇ ନିକଟରେ ଏନଏଚଏଆଇ ର ପରିଯୋଜନା ନିର୍ଦ୍ଦେଶକ ଏନଏନ ଗିରି କହିଥିଲେ କି ଡିସେମ୍ବର ୩୧ ସୁଧା କେନ୍ଦ୍ରସରକାର ଫାସଟାଗର ବ୍ୟବହାର ଶହେ ପ୍ରତିଶତ କରିବାକୁ ଚାହୁଁଛନ୍ତି । ଯଦି ଗାଡି ମାଲିକ ମାନେ ସେମାନଙ୍କ ଗାଡିରେ ଫାସଟାଗ ନଲଗାନ୍ତି ତେବେ ସେମାନଙ୍କୁ ହାଇୱେରେ ଜାନୁଆରୀ ପହିଲାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।
ସେହିପରି ନବବର୍ଷରୁ ଆଣ୍ଡ୍ରୋଏଡ ୪.୩ ଏବଂ ଆଇଓଏସ ୯ ରେ ପୁରୁଣା ଅପରେଟିଙ୍ଗ ସିଷ୍ଟମ ବିଶିଷ୍ଟ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ଚାଲିବ ନାହିଁ । ପ୍ରତ୍ୟେକ ବର୍ଷ ଆଉଟଡେଟେଡ ଆଇଓଏସ ଏବଂ ଆଣ୍ଡ୍ରୋଏଡ ସ୍ମାର୍ଟଫୋନକୁ ସପୋର୍ଟ କରିବା ବନ୍ଦ କରିଦେଇଥାଏ ହ୍ୱାଟ୍ସଆପ୍ । ଯେଉଁ ବ୍ୟକ୍ତି ପୁରୁଣା ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଛନ୍ତି । ସେମାନଙ୍କ ପାଇଁ ଜରୁରୀ ହେଉଛି ସେମାନେ ସେମାନଙ୍କର ଫୋନ ଅପଗ୍ରେଡ କରି ନିଅନ୍ତୁ ।
ଏଣିକି ଲ୍ୟାଣ୍ଡଲାଇନରୁ ମୋବାଇଲ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ପ୍ରଥମେ ଶୂନ ଲଗେଇବାକୁ ହେବ । ଏନେଇ ଟ୍ରାଇର ପ୍ରସ୍ତାବକୁ ସ୍ୱୀକାର କରିଛି ଦୂର ସଂଚାର ବିଭାଗ । ଏଭଳି କଲ ପାଇଁ ଟ୍ରାଇ ନଭେମ୍ବରରୁ ପ୍ରଥମେ ଶୂନ ଲଗାଇବା ପାଇଁ ସୁପାରିଶ କରିଥିଲେ । ଏହାଦ୍ୱାରା ଦୂରସଂଚାର ସେବାପ୍ରଦାତା କମ୍ପାନୀକୁ ଅଧିକ ନମ୍ବର କରିବାରେ ସୁବିଧା ମିଳିବ ।
ଆଗାମୀ ମାସରୁ ଅନେକ କାର କମ୍ପାନୀ ତାଙ୍କ ଗ୍ରାହକଙ୍କୁ ଝଟକା ଦେବାକୁ ଯାଉଛନ୍ତି । ଜାନୁଆରୀ ୧ ରୁ ୧୦ ଟି ବଡ ବଡ କମ୍ପାନୀ ତାଙ୍କ କାର ଦର ବୃଦ୍ଧି କରିବାକୁ ଯାଉଛନ୍ତି । ସେହିପରି ବୃଦ୍ଧି ହୋଇଥିବା ଦର , ଭ୍ୟାରିଏଣ୍ଟ ଏବଂ ମଡେଲ ହିସାବରେ ଅଲଗା ଅଲଗା ରହିବ ।
ପ୍ରତ୍ୟେକ ମାସ ଆରମ୍ଭରେ ତେଲ କମ୍ପାନୀ ପକ୍ଷରୁ ଏଲପିଜି ସିଲିଣ୍ଡର ଦାମ୍ ରେ ସମୀକ୍ଷା କରାଯାଇଥାଏ । ସେହିଅନୁଯାୟୀ ଜାନୁଆରୀ ୧ରୁ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ ପରିବର୍ତ୍ତନ ହୋଇଯିବ । ପ୍ରକୃତରେ ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ । ସେହି ହିସାବରେ ଏଲପିଜି ଦାମ୍ ରେ ଅନ୍ତର ଆସିଥାଏ ।