ବିହାର (ଏଟିଆର ବ୍ୟୁରୋ ) ; ଯୌତୁକ ପାଇଁ ବୋହୁକୁ ହତ୍ୟା । ବୋହୁର ଆଖି ଫୁଟାଇଲେ ଶାଶୁଘର ଲୋକେ । ଏଭଳି ଅଭାବନୀୟ ଘଟଣା ବିହାରର ନାଳନ୍ଦା ଜିଲ୍ଲା ଫୁଲବାରିଆ ଗ୍ରାମରେ ଘଟିଛି । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ସମାଜରେ ଯୌତୁକ ପ୍ରଥାକୁ ଉଠାଇବା ଲାଗି ନାନାଦି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ହେଁ ଏହାର ପ୍ରଭାବ ବିଲକୁଲ ଦେଖିବାକୁ ମିଳୁନାହିଁ । ବିହାର ଭଳି ରାଜ୍ୟରେ ସେଠାକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୌତୁକ ପ୍ରଥାକୁ ଉଠାଇବା ଲାଗି ବହୁ ଚେଷ୍ଟା ଚଳାଇଥିବା ବେଳେ ଏବେ ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ , ଫୁଲବାରିଆ ଗ୍ରାମରେ ଯୌତୁକ କାରଣରୁ ଶାଶୁଘର ଲୋକେ ବୋହୁ ବବିତା ଦେବୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ବୋହୁର ଆଖି ଫୁଟାଇ ଦେଇଥିଲେ ଶାଶୁଘର ଲୋକେ । ପରେ ପରିବାର ଲୋକଙ୍କ ଦ୍ୱାରା ବୋହୁକୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ , ହତ୍ୟା ଘଟଣାକୁ ଗୋପନୀୟ ରଖିବା ପାଇଁ ଶାଶୁଘର ଲୋକେ ବୋହୁର ଶବ କୁ ବହୁ ଦୂରକୁ ନେଇ ଯାଇ ଜହାନାବାଦ ନିକଟରେ ଥିବା ଏକ ବିଲରେ ଫିଙ୍ଗି ଦେଇଥିଲେ । ତେବେ ପରଦିନ କିଛି ଲୋକ ବିଲରେ ପଡିଥିବା ବବିତାଙ୍କ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଏ ଘଟଣା ସମ୍ପର୍କରେ ବବିତାଙ୍କ ପରିବାର ଲୋକଙ୍କୁ ଖବର ମିଳିବା ପରେ ସେମାନେ ବବିତାଙ୍କ ଶାଶୁ ଘର ଲୋକଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ତେବେ ପୋଲିସ ଏହି ଘଟଣାରେ ବବିତାଙ୍କ ସ୍ୱାମୀକୁ ଗିରଫ କରିଥିବା ବେଳେ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି । ପୋଲିସ ଖୋଡତାଡ ଆରମ୍ଭ କରି ସତ୍ୟତାକୁ ପଦାକୁ ଆଣିବ ବୋଲି କହିଛି ।