ମୁମ୍ବାଇ,(ଏଟିଆରବ୍ୟୁରୋ): ମହାରାଷ୍ଟ୍ର ଷ୍ଟେଟ କୋଅପରେଟିଭ ବ୍ୟାଙ୍କ୍ରେ ୧ହଜାର କୋଟିର ଦୁର୍ନୀତି ମାମଲାରେ ଏବେ ଫସିବାକୁ ଯାଉଛନ୍ତି ଏନସିପିର ଅଧ୍ୟକ୍ଷ ଶରଦ ପାୱାର । କେବଳ ସରଦ କାହିଁକି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ସମେତ ମୋଟ୍ ୭୦ଜଣଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବମ୍ବେ ହାଇକୋର୍ଟ । ସବୁଠୁ ବଡ଼ କଥା ହେଉଛି ଆସନ୍ତା ୫ଦିନ ଭିତରେ ଏହି ମାମଲା ରୁଜୁ କରିବାକୁ କୋର୍ଟ କହିଛନ୍ତି ।
ଜଷ୍ଟିସ ଏସ ସି ଧର୍ମାଧିକାରୀ ଏବଂ ଜଷ୍ଟିସ ଏସ କେ ସିଂହଦେଓଙ୍କ ଖଣ୍ଡପୀଠ ପ୍ରତ୍ୟେକ୍ଷଦର୍ଶୀଙ୍କ ସାକ୍ଷ ଆଧାରରେ ଇଓଡବ୍ଲ୍ୟୁକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୭ରୁ ୨୦୧୧ ମଧ୍ୟରେ ବ୍ୟାଙ୍କରୁ ୧ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇର ଜଣେ ସାମାଜିକ କର୍ମୀ ସୁରିନ୍ଦର ଏମ ଆରୋରାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଆଇଏଲରେ ଶରଦ ପାୱାର ଓ ଅଜିତ ପାୱାରଙ୍କ ବ୍ୟତିତ ଅନେଙ୍କ ନାଁ ରହିଛି । ପୂର୍ବରୁ ମହାରାଷ୍ଟ୍ର କୋଅପରେଟିଭ ସୋସାଇଟିଜ ଆକ୍ଟ ଆଧାରରେ ଏକ ଅର୍ଦ୍ଧ ବିଚାର ବିଭାଗୀୟ ଯାଞ୍ଚ କମିଟି ଏହି ମାମଲାରେ ପାୱାରଙ୍କ ସମେତ ଅନ୍ୟମାନଙ୍କୁ ଦାୟୀ କରିଥିଲେ ।
ନାବାର୍ଡ ମଧ୍ୟ ଏମଏସସିବି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଚିନି କଳ, କପା ମିଲକୁ ବ୍ୟାଙ୍କିଙ୍ଗ୍ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଉଲଙ୍ଘନ କରାଯାଇ ବିଚାର ବିମର୍ଶ ନକରି ଲୋନ ନଦିଆଯାଇଥିବା ଜଣାପଡିଥିଲା । ଯାହା ଏଯାବତ ଅନାଦେୟ ରହିଛି । ଏତିକି ନୁହେଁ ସୁରିନ୍ଦର ଯାଞ୍ଚ ରିପୋର୍ଟ ଏବଂ ଅଭିଯୋଗ ଦାଖଲ ପରେ ମଧ୍ୟ କାହା ବିରୋଧରେ ମାମଲା ରୁଜୁ କରାଯାଇନଥିଲା । ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।