ମଧ୍ୟପ୍ରଦେଶ(ଏଟିଆର ବ୍ୟୁରୋ): ରତଲାମ୍ ଜିଲ୍ଲାର ଜାବରାରେ ଏକ ଅଜବ ଘଟଣା ସାମନାକୁ ଆସିଛି । ରବିବାର ଏକ ପାର୍ଲରରେ ଗଳା କାଟି ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ ସୋନୁ ଯାଦବ ବୋଲି ଜଣାପଡିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟା ଘଟଣାର ଖବର ପାଇ ଜାବରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତର ନାମ ରାହୁଲ୍ ।
ପୋଲିସ୍ ତଦନ୍ତ ଅନୁଯାୟୀ ,ମାନପୁରରୁ ସୋନୁ ଜାଦବ ତାଙ୍କ ପରିବାର ସହିତ ଜାବରା ଆସିଥିଲେ । ନିଜ ବିବାହ ମେକ୍ଅପ୍ ନେବାପାଈଁ ନିଜ ଭଉଣୀ ସହିତ ଆସିଥିବା ସୋନୁ ଜାଦବ ବହୁତ୍ ଖୁସିଥିଲେ । କିନ୍ତୁ ତାଙ୍କର ସେହି ଖୁସି କିଛି ସମୟ ମଧ୍ୟରେ ସୀମିତ ରହିଗଲା । ବିବାହ ବେଦୀରେ ବସିବା ପୂର୍ବରୁ ଆଖିବୁଜିଲେ ବିବାହ କରିବାକୁ ଯାଉଥିବା ସୋନୁ । ସେ ସଜାଇ ହଉଥିବା ବେଳେ ହଠାତ୍ ଜଣେ ଯୁବକ ଆସି ତାଙ୍କ ଗଳା କାଟି ହତ୍ୟା କରିଥିଲା । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ମହିଳାଙ୍କୁ ହସ୍ପିଟାଲ୍ ନେଇଥିଲେ କିନ୍ତୁ ଡାକ୍ଟର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ତଥ୍ୟ ଅନୂଯାୟୀ କିଛି ବର୍ଷ ପୂର୍ବରୁ ସୋନୁଙ୍କ ବିବାହ ଅନ୍ୟ ଏକ ଯୁବକ ସହିତ ହୋଇଥିଲା । ତେବେ କୌଣସି କାରଣବଶତଃ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ସେ ଆଉ ଏକ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ହେଲେ ତାଙ୍କୁ ହତ୍ୟା କରାଯାଇଥିବାର ବର୍ତ୍ତମାନ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।