ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଯାତ୍ରୀଙ୍କ ପାଇଁ ଯମ ଦୂତ ସାଜିଛି ଭାରତୀୟ ରେଳ । କେତେବେଳେ କାହାର ଜୀବନ ଯାଉଛି ତାର ହିସାବ କାହା ପାଖରେ ନାହିଁ । ଖାଲି ଜୀବନ ତ ଯାଉନି ଧନ ବି ଯାଉଛି । ମାନେ କେତେବେଳେ ଟ୍ରେନରେ ଲୁଟ ଓ ଡକାୟତିର ସାମ୍ନା କରୁଛନ୍ତି ଯାତ୍ରୀ ତ କେତେବେଳେ ଘଟୁଛି ଦୁର୍ଘଟଣା । କେତେବେଳେ ପୁଣି ଯାତ୍ରୀ ବଗିକୁ ଛାଡି ଗଡି ଯାଉଛି ଇଂଜିନ । ଏମିତିରେ ଚାଲିଥିବା ଭାରତୀୟ ରେଳ ଉପରେ କିନ୍ତୁ ଖୁବ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯାତ୍ରୀଙ୍କ ଧନ ଜୀବନ ରକ୍ଷା ସମ୍ବନ୍ଧରେ ରେଳ ମନ୍ତ୍ରଣାଳୟ ଆଦୌ ସିରିୟସ ନୁହେଁ ବୋଲି ଆପତ୍ତି ଉଠାଇଛନ୍ତି କୋର୍ଟ । ତେବେ ଗତ ସପ୍ତାହରେ ଲୋକସଭା ଅଧିବେସନରେ ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତ ତିନି ବର୍ଷରେ ରେଳଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ଜଷ୍ଟିସ ମଦନ ଭିି ଲୋକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ଗଠିତ ଦସ୍ୱବ ଜଣିଆ ଖଣ୍ଡପୀଠ ଭାରତୀୟ ରେଳ ମନ୍ତ୍ରଣାଳୟକୁ ଭର୍ତ୍ସନା କରିବା ସହ କହିଛନ୍ତି ଆପଣଙ୍କ ପାଖରେ ସାମାନ୍ୟ ପ୍ରାଥମିକ ଚିକିତ୍ସା କରିବା ପାଇଁ ମଧ୍ୟ ସୁବିଧା ନାହିଁ । ଆପଣ ଏ ବାବଦରେ କାହିଁକି କହୁ ନାହାଁନ୍ତି । ଯଦି ଆପଣଙ୍କ ପାଖରେ ପ୍ରାଥମିକ ଚିକିତ୍ସା ସୁବିଧା ନାହିଁ, ତେବେ ଆଉ କଣ ଅଛି କହି ରେଳ ମନ୍ତ୍ରଣାଳୟକୁ ତାତ୍ସଲ୍ୟ କରିଛନ୍ତି ଏହି ଖଣ୍ଡପୀଠ ।
ବିଜୟୱାଡା ପ୍ଲାଟଫର୍ମରେ ଜଣେ ରେଳ ଯାତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀତ ମାମଲାର ଶୁଣାଣୀ ବେଳେ ରେଳ ବିଭାଗ ଉପରେ ଏମିତି କିଛି ଟୀକା ଟିପ୍ପଣୀ ରଖିଥିଲେ ନ୍ୟାୟାଳୟ । ସଂପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ପ୍ଲାଟଫର୍ମରେ ପ୍ରାଥମିକ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଥିଲା । ତେବେ ରେଳ ମନ୍ତ୍ରଣାଳୟ ତରଫରୁ ନିଯୁକ୍ତ ଓକିଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ରେଳ ଷ୍ଟେସନ ଗୁଡିକରେ ଉପଲବ୍ଧ ଚିକିତ୍ସା ସୁବିଧା ସଂପର୍କରେ ଏକ ସତ୍ୟପାଠ ଜରିଆରେ ସୂଚନା ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଉକ୍ତ ବ୍ୟକ୍ତି ଜଣକ ଗୋଲକୁଣ୍ଡା ଏକ୍ସପ୍ରେସରେ ସିକନ୍ଦରାବାଦରୁ ବିଜୟୱାଡା ଯାଉଥିଲେ । ରାତି ପ୍ରାୟ ୮ଟା ବେଳେ ସେ ବିଜୟୱାଡା ଷ୍ଟେସନରେ ଓହ୍ଲାଇଥିଲେ । ତେବେ ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ମେଡିକାଲ ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ତାଙ୍କ ମୃତଦେହ ପାଖାପାଖି ୪ଘଂଟା କାଳ ସେହି ପ୍ଲାଟଫର୍ମରେ ପଡି ରହିଥିବା ବେଳେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ପରିବାର ଲୋକେ ଅଭିଯୋଗ ଆଣି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।