ଜାମ୍ମୁ (ଏଟିଆର ବ୍ୟୁରୋ ) ; ସେନା ଉପରକୁ ଗୁଳି ବର୍ଷଣ କଲେ ଆତଙ୍କବାଦୀ । ଫଳରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଯବାନ ଆହତ ହୋଇଛନ୍ତି । ଜାମ୍ମୁର ପୁଲବାମା ଅଞ୍ଚଳରେ ଏପରି ଆତଙ୍କବାଦୀ ହମଲା ହୋଇଛି । ତେବେ ଆହତ ହୋଇଥିବା ୭ ଜଣ ଯବାନଙ୍କ ମଧ୍ୟରୁ ୩ ଜଣ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେ ସମସ୍ତ ଯବାନ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନରେ ଚିକିତ୍ସା ନିମନ୍ତେ ଭତ୍ତୀ କରାଯାଇଛି ।
ଆଜି ସକାଳ ସମୟରେ ଯବାନମାନେ ଲସିପୋରା ଠାରୁ ପୁଲବାମା ଅଞ୍ଚଳକୁ ଯିବା ସମୟରେ ହଠାତ ସେନା ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।ସେନା ଉପରରେ ପ୍ରଥମେ ବିସ୍ପୋରଣ କରିବା ପରେ ଗୁଳି ବର୍ଷଣ କରିଥିଲେ ଆତଙ୍କବାଦୀ । ତେବେ ଆତଙ୍କବାଦୀଙ୍କ ଗୁଳିର କଡା ଜବାବ ଦେଇଥିଲେ ଭାରତୀୟ ସେନା । କିଛି ସମୟ ମଧ୍ୟରେ ସମଗ୍ର ଅଞ୍ଚଳକୁ ସେନା ଘେରିଯାଇଥିଲା ।
ଅଧିକ ସହାୟତା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟ ଘଟଣା ସ୍ଥଳେ ପହଞ୍ଚିଥିବା ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବାରମ୍ବାର ସେନା ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି । ଅନେକ ସମୟରେ ଭାରତୀୟ ଯବାନ ପ୍ରାଣ ହରାଉଥିବା ବେଳେ ସେନାର ସୁରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି । ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଅପରେସନ ଚଳାଇଛି ଭାରତୀୟ ସେନା ।