ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଫାଶୀ ତାରିଖ ଘୋଷଣା କରାଯିବା ପରେ ଏବେ ୪ ଅଭିଯୁକ୍ତ ଫାଶୀରୁ ମୁକୁଳିବା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ଆଜି ଅଭିଯୁକ୍ତ ବିନୟ କୁମାର କୋର୍ଟରେ କ୍ୟୁରେ ପିଟିସନ ଦାଖଲ କରିଛନ୍ତି । ଅଭିଯୁକ୍ତଙ୍କ ଫାଶୀ ଶୁଣାଣୀ ଉପରେ କ୍ୟୁରେ ପିଟିସନ ଦାଖଲ କରିବାକୁ ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଓକିଲ ସୂଚନା ଦେଇଥିଲେ । ସେଇ ଆଧାରରେ ଆଜି ଅଭିଯୁକ୍ତଙ୍କ ଓକିଲ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ ଆସନ୍ତା ୨୨ ଜାନୁଆରୀରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କୋର୍ଟ ରାୟ ଦେଇଛନ୍ତି । ଏହି ମାମଲାରେ ଦୋଷୀ ଅକ୍ଷୟଙ୍କ ପୂନଃ ବିଚାର ଆବେଦନକୁ କୋର୍ଟ ଖାରଜ କରିଥିଲେ । ଅକ୍ଷୟ ତାଙ୍କ ପିଟିସନରେ ଦର୍ଶାଇଥିଲେ ଏବେ ଦିଲ୍ଲୀରେ ଯେଉଁଭଳି ଭାବେ ପ୍ରଦୂଷଣ ବଢିବାରେ ଲାଗିଛି ଏଥିରେ ସେ ଆପେଆପେ ମରିଯିବେ ଏଣୁ ଫାଶୀର ଆବଶ୍ୟକତା ନାହିଁ । ଯାହାକୁ କୋର୍ଟ ଯୁକ୍ତିଯୁକ୍ତ ଭାବେ ଗ୍ରହଣ କରି ନଥିଲେ ।
ଗତ ୨୦୧୨ ମସିହାରେ ଦିଲ୍ଲୀରେ ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ବସରେ ୬ ଜଣ ମିଶି ଦୁଷ୍କର୍ମ କରିଥିଲେ । ଜଣେ ନାବାଳକ ମଧ୍ୟ ସାମିଲ ଥିଲେ । ଯାହାକୁ ନେଇ ସେ ସମୟରେ ସାରା ଦେଶରେ ପ୍ରତିକ୍ରିୟା ଦେଖା ଦେଇଥିଲା । ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବୀ ହୋଇ ଆସୁଥିଲା । ଏହି ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠା ଯାଇଥିବା ବେଳେ ଆଉ ଜଣଙ୍କର ଜେଲରେ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।