ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଛି । ତାଙ୍କର ଜ୍ୱର ଏବଂ ଗଳାରେ ସମସ୍ୟା ଥିବା ଜାଣିବାକୁ ମିଳିଛି । ଏବେ ସେ ତାଙ୍କ ଘରେ ସଙ୍ଗରୋଧରେ ରହିଛନ୍ତି । ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଉଛି । ରବିବାର ଅପରାହ୍ନରୁ ସେ ତାଙ୍କର ସମସ୍ତ ବୈଠକ ରଦ୍ଦ କରିଦେଇଛନ୍ତି ଏବଂ କାହାରି ସହିତ ସାକ୍ଷାତ କରି ନାହାନ୍ତି ।
ଅନ୍ୟପଟେ ଡିଜିଟାଲ ପ୍ରେସ୍ କନଫରେନସିଙ୍ଗ ଦ୍ୱାରା ରବିବାର କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀର ସରକାରୀ ଏବଂ ଘରୋଇ ହସ୍ପିଟାଲରେ ବର୍ତ୍ତମାନ କେବଳ ଦିଲ୍ଲୀବାସୀ ଚିକିତ୍ସିତ ହେବେ । ଏହାପରେ ସନ୍ଧ୍ୟାରେ ଦିଲ୍ଲୀ ସରକାର ସେହି ଡକ୍ୟୁମେଣ୍ଟ ସୂଚୀ ଜାରି କରିଛି, ଯାହା ଆଧାରରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ।