ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ରରେ ମୋଦି ସରକାର ଗଠନ ହେବା ବେଳେ ଦେଶବାସୀ ୨୪ଘଣ୍ଟା ଯେପରି ବିଦ୍ୟୁତ ପାଇବେ ତାର ପ୍ରତିଶୃତି ଦେଇଥିଲେ । ଗାଁଠାରୁ ସହର ସବୁଆଡେ ଯେପରି ବିଦ୍ୟୁତ ସମସ୍ତେ ପାଇବେ ଏହାର ପ୍ରତିଶୃତି ସେ ଦେଇଥିଲେ । ଏହିଭଲି ସ୍ଥିତିରେ କେନ୍ଦ୍ର ସରକାର ଏକ ବଡ ଧରଣର ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି ।
ଏଣିକି ବିଦ୍ୟୁତ ଉପଭୋକ୍ତାମାନେ ଉଚିତ୍ ବିଦ୍ୟୁତ ସେବା ନପାଇଲେ ସେମାନେ ଯେଉଁ କମ୍ପାନୀରୁ ବିଦ୍ୟୁତ ଆଣୁଥିଲେ ତାହାକୁ ପରିବର୍ତ୍ତନ କରି ଅନ୍ୟ କମ୍ପାନୀରୁ ବିଦ୍ୟୁତ୍ ସେବା ଗ୍ରହଣ କରିପାରିବେ । ଅନେକ ରାଜ୍ୟରେ ଉପଭୋକ୍ତାମାନେ ବିଦ୍ୟୁତ ବିଲ ୟୁନିଟ ପିଛା ୮ଟଙ୍କା ଦେଉଥିବା ବେଳେ କମ୍ପାନୀ ମାନେ କିନ୍ତୁ ଅଳ୍ପ ଅର୍ଥରେ ଏହାକୁ କିଣିଥାନ୍ତି ।ଏହି ନିୟମ ଲାଗୁ ହେବା ଫଳରେ କମ୍ପାନୀମାନେ ଯେଉଁ ମନ ଇଚ୍ଛା କାମ କରୁ ଥିଲେ ତାହାଉପରେ ଏକ ରକମର ରୋକ ଲାଗିପାରିବ । ଏହା ସହ ଚାଷୀମାନେ ଯେଉଁ ବିଦ୍ୟୁତ ସେବା ପାଉଥିଲେ ତାହାକୁ ସାଧାରଣ ବିଦ୍ୟୁତ ସେବାଠାରୁ ଅଲଗା ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ଶୁକ୍ରବାର ଦିନ କେଦ୍ର ମନ୍ତ୍ରୀ ଆରକେ ସିଂହ ଏକ ବୈଠକରେ ଯୋଗ ଦେଇଥିବା ବେଳେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏବେ ପ୍ରତ୍ୟେକ ଅଞ୍ଚଳରେ ୩ରୁ ୪ଟି ବିଦ୍ୟୁତ କମ୍ପାନୀ କୁ ଏହି ବିଦ୍ୟୁତ୍ ସେବା କାର୍ଯ୍ୟରେ ନିୟୋଜିତ କରାଯିବ । ଏହି ନିୟମ ଲାଗୁ ହେବା ଫଳରେ ସରକାରଙ୍କ ଉପରୁ ଆର୍ଥକ ବୋଝ କମିବା ସହ ଉପଭୋକ୍ତାମାନେ ଉଚିତ ସେବା ପାଇପାରିବେ । ସରକାରୀ ଅଫିସ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କର ବକେୟା ବିଲ ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା କମ୍ପାନୀମାନେ ଯେଉଁ କ୍ଷତି ସହୁଥିଲେ ତାହାକୁ ପୁରଣ କରାଯାଇପାରିବ । ସେହିଭଳି ଆଗାମୀ ଦିନରେ ବିଦ୍ୟୁତ ବିଲ ବଢିବା ସମ୍ପର୍କରେ ପଚାରିବାରୁ ସେ କୌଣସି ମୂଲ୍ୟ ବଢା ହେବ ନାହିଁ ଓ ଆଗାମୀ ଦିନରେ ପ୍ରିପେଡ୍ ସେବା ଲାଗୁ ହେବ ବୋଲି କହିଥିଲେ ।