ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁ ଥିରେ ସେ ଭୁବନେଶ୍ୱରରୁ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଇବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି ଯେ, ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ଘୋଷଣା ହେବା ପରେ ୨୦୧୫ରୁ ଭୁବନେଶ୍ୱରକୁ ବିଦେଶୀ ଯାତ୍ରୀ, ଏନଆରଆଇ ଓ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବଢିଛି । ଓଡିଆ ଏନଆରଆଇ ଏବଂ ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକରେ କାମ କରୁଥିବା ଓଡିଆ ଲୋକ ମାନେ ଦୀର୍ଘ ଦିନରୁ ଭୁବନେଶ୍ୱରରୁ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଦାବୀ କରି ଆସୁଛନ୍ତି । ଏହି ବ୍ୟବସ୍ଥା ଆରମ୍ଭ ହେଲେ ବିଶେଷ କରି ଦୁବାଇ, ରିଆଦ, ଆବୁଧାବୀ, ଶାର୍ଜହ ଓ ଅନ୍ୟାନ୍ୟ ଉପସାଗରୀୟ ଦେଶ ଗୁଡିକରେ ରହୁଥିବା ବହୁ ସଂଖ୍ୟକ ଓଡିଆ ଲୋକ ଉପକୃତ ହେବେ ।
ସେ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରୁ ମ୍ୟାଲେସିଆର କୁଆଲା ଲୁମପୁରକୁ ଏକ ମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଚଳାଚଳ କରୁଛି । ଯାହାକୁ ଏୟାର ଏସିଆ ଦ୍ୱାରା ପରିଚାଳିତ ହେଉଛି । ଧମେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁସାରେ ରାସ୍-ଅଲ୍-ଖାଇମାରେ ନୂଆ ବିମାନ ସେବା ପାଇଁ ସ୍ପାଇଶ ଜେଟ ଏବଂ ୟୁଏଇ ମଧ୍ୟରେ ବୁଝାବଣା ପତ୍ର ସ୍ୱାକ୍ଷରିତ କରାଯାଇଛି । ଭୁବନେଶ୍ୱରରୁ ରାସ୍-ଅଲ୍-ଖାଇମା ମଧ୍ୟରେ ସଂଯୋଗ ପାଇଁ ସ୍ପାଇଶ ଜେଟକୁ ମଧ୍ୟ ସୁପାରିଶ କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ବିମାନ ସେବା ଆରମ୍ଭ କରିବାପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପୁରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହା ସହ ଏହି ବ୍ୟବସ୍ଥା ଆରମ୍ଭ ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହେବ ଓ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ମଧ୍ୟ ବଢାଇବାରେ ଏହା ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି ।