ପୁରୀ (ଏଟିଆର ବ୍ୟୁରୋ): ବଡ ଦେଓଳରେ ବାରମ୍ବାର ଯାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଲା ପରେ ଏବେ ଆଉ ଏକ ଅଭିଯୋଗ ଶୁଣିବାକୁ ମିଳୁଛି । ସେ ଆଉ କେହି ନୁହଁନ୍ତି ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି । ଗତ ମାର୍ଚ୍ଚ ମାସରେ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ଲାଗି ଯାଇଥିବା ବେଳେ ଏଭଳି ହୋଇଥିବା ଅଭିଯୋଗ ଆସିଛି ।
ତିନି ମାସ ପୂର୍ବରୁ ରାଷ୍ଟ୍ରପତି ଭବନରୁ ଏଭଳି ଅଭିଯୋଗକୁ ନେଇ ଏକ ଚିଠି ଶ୍ରୀମନ୍ଦିର ପରିଚାଳନା କମିଟିକୁ ଆସିଥିଲା । ମାତ୍ର ଏହି ଘଟାଣକୁ ଚପାଇ ରଖାଯାଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିଲା ପରେ ଚାରିଆଡେ ଚହଳ ସୃଷ୍ଟି କରିଛି ।
ଖବରମୁତାବକ,ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରତ୍ନ ସିଂହାସନ ନିକଟକୁ ଯିବା ସମୟରେ ସେଠାରେ ଛିଡା ହୋଇଥିବା ଖୁଣ୍ଟିଆ ମେକାପ ଆଡେଇ ନଥିଲେ । ଏବଂ କିଛି ପଣ୍ଡା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କ ଦେହରେ ଘଷି ହୋଇଯାଇଥିଲେ । ଫଳରେ ଏଭଳି ଦୁର୍ବ୍ୟବହାରକୁ ଅସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ।