ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ଏବେ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ଗୃହମନ୍ତ୍ରାଳୟ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଆଜ୍ଞା ହଁ ଘରୋଇ ସୁରକ୍ଷା ଏଜେନ୍ସିଙ୍କୁ ୨୧ ଦିନିଆ ବନ୍ଦ ଅବଧିରେ କୌଣସି ବି ଗାର୍ଡଙ୍କ ବେତନ ନକାଟିବା ଏବଂ ଚାକିରୀରୁ ଛଟେଇ ନକରିବା ପାଇଁ କୁହାଯାଇଛି ।
ଗୃହମନ୍ତ୍ରାଳୟ ପକ୍ଷରୁ ସେଣ୍ଟ୍ରାଲ ଆସୋସିଏସନ୍ ଅଫ୍ ପ୍ରାଇଭେଟ ସିକ୍ୟୁରିଟି ଇଣ୍ଡଷ୍ଟ୍ରି, ସିଆଇଆଇ, ଫିକ୍କି, ଏସୋଚ୍ୟାମ କୁ ଚିଠି ଲେଖି କୁହାଯାଇଛି କି , ଭାରତ କୋଭିଡ୧୯ ପାଇଁ ଅଭୂତପୂର୍ଣ୍ଣ ସ୍ଥିତିର ସାମ୍ନା କରୁଛି । ଏହାଦ୍ୱାରା ଆର୍ଥିକ ଗତିବିଧି ଉପରେ ପ୍ରଭାବ ପଡିଛି ଏବଂ ଆଶଙ୍କା କରାଯାଉଛି କି ଦୋକାନ ବଜାର ତଥା ଅନ୍ୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ହେବା ଯୋଗୁଁ ଘରୋଇ ସୁରକ୍ଷା ଏଜେନ୍ସି ଉପରେ ବି ପ୍ରଭାବ ପଡିଛି । ସେଥିପାଇଁ ଏଜେନ୍ସି ଗୁଡିକ କୌଣସି ବି ଗାର୍ଡକୁ ଚାକିରୀରୁ ବାହାର କରନ୍ତୁ ନାହିଁ କି ସେମାନଙ୍କର ମାସିକ ବେତନ କାଟନ୍ତୁ ନାହିଁ ।
ସୂଚନାଯୋଗ୍ୟ, ମାରାତ୍ମକ ଭାଇରସ କରୋନା ପୁରା ଦେଶରେ କାୟା ମେଲାଇଛି । ଏଥିରୁ ରକ୍ଷା ପାଇଁ ଏକ ମାତ୍ର ଅସ୍ତ୍ର ହେଉଛି ସାମାଜିକ ଦୂରତ୍ୱ । ସେଥିପାଇଁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ଯାଏଁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।