ଗୋରଖପୁର (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇ ଗଲାଣି । ଏବେ ମତଦାନ ପାଇଁ ବାକି ରହିଛି ଆହୁରୀ ୪ଟି ପର୍ଯ୍ୟାୟ । ସେଥିପାଇଁ ଜୋର ସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ପ୍ରଚାର ପାଇଁ ହେବିୱେଟ ନେତାଙ୍କ ସମେତ ଅନେକ ଷ୍ଟାର ପ୍ରଚାରକ ମାନେ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି । ସବୁଠାରୁ ବଡ କଥା ହେଉଛି ଏଥିରେ ବାଦ୍ ପଡି ନାହାନ୍ତି ଡାକ୍ତର ,ଏବଂ ଫାର୍ମାସିଷ୍ଟ । ଆଜ୍ଞା ହଁ ଗୋରଖପୁର ଦେବରିୟା ସଦର ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀଙ୍କ ଡ୍ୟୁଟି ନିର୍ବାଚନରେ ପଡିଥିବାରୁ ଏବେ ଡାକ୍ତରଖାନାରେ ରୋଗୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ ।
ପ୍ରତ୍ୟେକ ଦିନି ଗୋରଖପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହଜାରରୁ ଅଧିକ ସଂଖ୍ୟାରେ ରୋଗୀଙ୍କ ଚିକିତ୍ସା ହୋଇଥାଏ । କିନ୍ତୁ ନିର୍ବାଚନ ପାଇଁ ଡାକ୍ତରଙ୍କ ଡ୍ୟୁଟି ପଡିଥିବା ଯୋଗୁଁ ଏହି ସମୟରେ ଜିଲ୍ଲା ହସ୍ପିଟାଲକୁ ଆସିବାକୁ ଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲର ସାହାରା ନେବାକୁ ପଡିବ । ଜିଲ୍ଲା ହସ୍ପିଟାଲର ପାଖାପାଖି ୧୨ ରୁ ଅଧିକ ଫାର୍ମାସିଷ୍ଟଙ୍କୁ ନିର୍ବାଚନ ଡ୍ୟୁଟି ଦିଆଯାଇଛି । ସେଥିପାଇଁ ରୋଗୀଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡୁଛି । ଏନେଇ ଡାକ୍ତରଖାନାରେ ଥିବା ରୋଗୀ ଏବଂ ସେମାନଙ୍କ ପରିବାର ଲୋକେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।