ଭୁବନେଶ୍ପର ( ଏଟିଆର ବ୍ୟୁରୋ): ଲକ ଡାଉନ ପାଇଁ ଏବେ ସାରା ବିଶ୍ୱ ଘର ଭିତରେ ତାଲା ପଡି ରହିଥିବା ବେଳେ ଭାରତରେ ବି କରୋନା ଗୋଡରେ ବାନ୍ଦିଛି ବେଢି । ପରିସ୍ଥିତି ଏବେ ଏମିତି ହୋଇଛି ଘରୁ ପଦାକୁ ଗୋଡ କାଢିଲେ ଦୁଆର ମୁହଁରେ ଜଗି ବସିଛି ବିପଦ । ତେଣୁ ଏହି ବିପଦ ସମୟରେ ଘରେ ରହିବା ହିଁ ସବୁଠାରୁ ସୁରକ୍ଷିତ । ତେବେ ସାଧାରଣ ଲୋକଙ୍କ ଏହି ଲକ ଡାଉନକୁ ଲାଘବ କରିବା ପାଇଁ ପ୍ରସାର ଭାରତୀ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ମନୋରଞ୍ଜନ ସହିତ ଏବେକାର ଯୁବଗୋଷ୍ଠୀଙ୍କ ମନରେ ପୁରାଣ ସଂସ୍କୃତିକୁ ଉଜ୍ଜିବିତ କରିବା ପାଇଁ ରାମାନନ୍ଦ ସାଗରଙ୍କ ନିର୍ଦେଶିତ ବହୁ ଚର୍ଚ୍ଚିତ “ରାମାୟଣ” ଓ ବି ଆର ଚୋପ୍ରାଙ୍କ ନିର୍ଦେଶିତ ‘ମହାଭାରତ’ ଧାରାବାହିକର ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ।
ଆଜି ସକାଳ ୯ ଟାରୁ ୧୦ ଟା ରାମାୟଣ ପ୍ରସାରିତ ହୋଇଥିବା ବେଳେ ଅପରାହ୍ନ ୧୨ ଟାରେ ‘ମହାଭାରତ’ ପ୍ରସାରିତ ହୋଇଛି । ସୂଚନାଯୋଗ୍ୟ ବି ଆର ଚୋପ୍ରାଙ୍କ ‘ମହାଭାରତ’ ୧୯୮୮ ମସିହା ଅକ୍ଟୋବର ମାସରେ ପ୍ରସାରିତ ହୋଇଥିଲା । ଏହି ଧାରାବାହିକରେ ଶ୍ରୀକୃର୍ଷ୍ଣ ଭୂମିକାରେ ନୀତିଶ ଭରଦ୍ୱାଜ ଅଭିନୟ କରିଥିଲେ । ସେ ସମୟରେ ପ୍ରସାର ଭାରତୀରେ ପ୍ରସାରିତ ହେଉଥିବା ଏହି ଧାରାବାହିକ ଏତେ ଲୋକପ୍ରିୟତା ହାସଲ କରିଥିଲା ଯେ ଆଜିବି ମହାଭାରତର କାହାଣୀ ମନକୁ ଆସିଲେ ପ୍ରଥମେ ଆଖି ଆଗରେ ନାଚି ଉଠେ ଧାରାବାହିକ ମହାଭାରତର ଚରିତ୍ରମାନେ । ନବେ ଦଶକରେ ଲୋକମାନଙ୍କ ପାଖରେ ଟିଭି ନଥିବାରୁ ଯାହାର ବି ଗୋଟିଏ ଟିଭି ରହିଥିଲା ସେଠାରେ ଆବାଳ ବୃଦ୍ଧା ବନିତା ଏକାଠି ହୋଇ ଏହି ଧାରାବାହିକ ଦେଖୁଥିଲେ । ଆଜି ପ୍ରସାର ଭାରତୀର ଏହି ନୂତନ ପଦକ୍ଷେପ ପୁଣି ଲୋକମାନଙ୍କୁ ଫେରାଇ ନେଇଛି ନବେ ଦଶକର ସେହି ଅତୀତ ଦିନକୁ ।