ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏବଂ ରାଜ୍ୟସଭା ସାଂସଦ ରଞ୍ଜନ ଗୋଗଇଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ଦେବାର ନିଷ୍ପତି କରିଛନ୍ତି କେନ୍ଦ୍ର ସରକାର । ଏନେଇ ସମାଚାର ଏଜେନ୍ସି ପିଟିଆଇ ସୂଚନା ଦେଇଛି । ସେ କହିଛି କି, ଗୋଗଇଙ୍କୁ ଦେଶରେ ତାଙ୍କ ଯାତ୍ରା ସମୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ସଶସ୍ତ୍ର କମାଣ୍ଡ ସୁରକ୍ଷା ପ୍ରଦାନ କରିବେ । ଏହାପୂର୍ବରୁ ତାଙ୍କୁ ଦିଲ୍ଲୀ ପୋଲିସ କରୁଥିଲେ ।
୨୦୧୯ ମସିହା ନଭେମ୍ବର ମାସରେ ପ୍ରଧାନ ବିଚାରପତି ପଦରୁ ସେବାନିବୃତ ହୋଇଥିଲେ ଗୋଗଇ । ପରେ , ସରକାର ତାଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରିଥିଲେ ।
ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ର ସୁରକ୍ଷା ପରେ ଜେଡ୍ ପ୍ଲସ ଭାରତର ସର୍ବୋଚ୍ଚ ସୁରକ୍ଷା ଶ୍ରେଣୀ । ଏହି ଶ୍ରେଣୀରେ ସମ୍ବନ୍ଧିତ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷାରେ ୩୬ ଯବାନ ରହିଥାନ୍ତି । ଏଥିରେ ୧୦ ରୁ ଅଧିକ ଏନଏସଜି କମାଣ୍ଡ ସହିତ ଦିଲ୍ଲୀ ପୋଲିସ, ଆଇଟିବିପି ବା ସିଆରପିଏଫ ର କମାଣ୍ଡ ଏବଂ ରାଜ୍ୟର ପୋଲିସକର୍ମୀ ସାମିଲ ହୋଇଥାନ୍ତି ।