ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳ ମନ୍ତ୍ରୀ ପିୟୁଷ ଗୋୟଲ ମଙ୍ଗଳବାର ରୁପେ ପ୍ଲାଟଫର୍ମରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆଇଆରସିଟିସି ର କୋବ୍ରାଣ୍ଡିଙ୍ଗ ବିଶିଷ୍ଟ କ୍ରେଡିଟ କାର୍ଡ ଲଞ୍ଚ କରିଛନ୍ତି । ଏନେଇ ରେଳମନ୍ତ୍ରୀ କହିଛନ୍ତି କି, ମେକ୍ ଇନ୍ ଇଣ୍ଡିଆ ଭଳି ରେଲୱେ ସମସ୍ତ ମାମଲାରେ ଆତ୍ମ ନିର୍ଭର ହେବା ପାଇଁ ପ୍ରତିବଦ୍ଧ । ଏହି କ୍ରମରେ ରେଲୱେର କମ୍ପାନୀ ଆଇଆରସିଟିସି, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ମିଳିତ ଭାବେ ରୁପେ ପ୍ଲାଟଫର୍ମରେ ଏକ ନୂତନ କଣ୍ଟାକ୍ଟଲେସ କ୍ରେଡିଟ କାର୍ଡ ଜାରି କରାଯାଇଛି ।
ନୂତନ ଆଇଆରସିଟିସି- ଏସବିଆଇ କ୍ରେଡିଟ କାର୍ଡକୁ ପଏଣ୍ଟ ଅଫ୍ ସେଲ (ପିଓଏସ) ରେ ସ୍ୱାଇପ କରିବାର ଆବଶ୍ୟକ ନାହିଁ । ଏହାକୁ କେବଳ ପିଓଏସ ମେସିନ ପାଖକୁ ନେଇ ଯିବା ପରେ ସ୍ୱାଇପ କାମ ପୂରା ହୋଇଯିବ । ଅର୍ଥାତ୍ ଏଣିକି ଆଉ କାର୍ଡକୁ ମେସିନ ଧାରକ ବ୍ୟକ୍ତିଙ୍କ ହାତକୁ ଦେବାକୁ ପଡିବ ନାହିଁ । ଏହି କାର୍ଡ ଏନଏଫସି (ନିୟର ଫିଲ୍ଡ କମ୍ୟୁନିକେସନ ଟେକନିକ ଦ୍ୱାରା କାମ କରିଥାଏ ।) ।
ଆଇଆରସଟିସି ୱେବ ସାଇଟ ମାଧ୍ୟମରେ ଏହି କାର୍ଡକୁ ପ୍ରୟୋଗ କରିବା ଦ୍ୱାରା ଯାତ୍ରୀଙ୍କୁ ରେଳ ଟିକେଟର ଫାଷ୍ଟ, ସେକଣ୍ଡ, ଥାର୍ଡ ଏସି, ଏଗ୍ଜିକ୍ୟୁଟିଭ ଚେୟା କାର ଏବଂ ଏସି ଚେୟାର କାର ଟିକେଟ ବୁକିଂ ଉପରେ ୧୦ ପ୍ରତିଶତ ଭ୍ୟାଲ୍ୟୁ ବ୍ୟାକ ମିଳିବ । ସେହିପରି ଏହି କାର୍ଡ ବ୍ୟବହାର ଦ୍ୱାରା ଅନଲାଇନ୍ ଟ୍ରାଞ୍ଜାକ୍ସନ ଫି ଦେବାକୁ ପଡିବନି । ଅର୍ଥାତ୍ ଟିକେଟର ଦାମ୍ ଉପରେ ପଡୁଥିବା ୧ ପ୍ରତିଶତ ଫି ଦେବାକୁ ପଡିବ ନାହିଁ । ଏହି କାର୍ଡ ଦ୍ୱାରା ତିନି ମାସରେ ଗୋଟେ ଥର ଦେଶର ଯେକୌଣସି ବି ରେଲୱେ ଷ୍ଟେସନର ପ୍ରିମିୟମ ଲାଉଞ୍ଜ ର ବ୍ୟବହାର ମାଗଣାରେ କରାଯାଇ ପାରିବ । ଅନ୍ୟପଟେ ପେଟ୍ରୋଲ ପମ୍ପରେ ଦେଉଥିବା ୧ ପ୍ରତିଶତ ଫୁଏଲ ସରଚାର୍ଜ ବି ଏହି କାର୍ଡ ବ୍ୟବହାର କରି ଦେବାକୁ ପଡିବ ନାହିଁ ।
ଆଇଆରସିଟିସି ୱେବ ସାଇଟ ମାଧ୍ୟମରେ ପ୍ରତ୍ୟେକ ଟିକେଟ ବୁକିଂ ଉପରେ ବୋନସ ପଏଣ୍ଟ ମିଳିବ । ସେହି ପଏଣ୍ଟକୁ ଏକାଠି କରି ତାର ବ୍ୟବହାର ଅନ୍ୟ ଏକ ଟିକେଟ ବୁକିଂ ରେ କରାଯାଇ ପାରିବ । ଏହାବ୍ୟତିତ ଅନଲାଇନ୍ ସପିଙ୍ଗ ରେ ବି ଏହି କାର୍ଡ ବ୍ୟବହାର ଉପରେ ଡିସକାଉଣ୍ଟ ଭଳି ଅନେକ ସୁବିଧା ମିଳିବ । ସେହିଅନୁଯାୟୀ ଡିସେମ୍ବର ୨୫ ପର୍ଯ୍ୟନ୍ତ ତିନି କୋଟି ଆଇଆରସିଟିସି-ଏସବିଆଇ ରୁପେ କାର୍ଡ ଜାରି କରିବାର ଲକ୍ଷ୍ୟ ରଖିଛି ରେଲୱେ ।