ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଚେକିଂ କଡା କଡା ହୋଇଛି । ଆଇନ ଉଲ୍ଲଘଂନ କରି ଧରା ପଡିଲେ ମୋଟା ଅଙ୍କର ଚାଲାଣ କାଟୁଛି ପୋଲିସ । ଏନେଇ ଲୋକେ ଗାଡି ଚଲାଇବାକୁ ବି ଡରୁଛନ୍ତି । କିନ୍ତୁ କିଛି ଲୋକ ଚାଲାଣ କଟିବାରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । କିଛି ଦିନ ପୂର୍ବେ ଦିଲ୍ଲୀର ଶେଖସରାୟ ପାଖରେ ଜଣେ ଯୁବକ ନିୟମ ଉଲ୍ଲଂଘନ କରି ଧରାପଡିବାରୁ ସେ ଚାଲାଣ ଦେବ କଣ ସିଧା ତାର ଗାଡିକୁ ପୋଡି ଦେଇଥିଲା । ସେହିପରି କାଶ୍ମୀର ଗେଟ ଆଇଏସବିଟି ନିକଟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରା ପଡିବାରୁ ସେ ପୋଲିସକୁ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ।
ଦିଲ୍ଲୀ ଟ୍ରାଫିକ ପୋଲିସର ସେଣ୍ଟ୍ରାଲ ରେଂଜ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, କାଶ୍ମୀର ଗେଟ ଆଇଏସବିଟି ବସ ଷ୍ଟାଣ୍ଡ ପାଖରେ ସ୍କୁଟିରେ ଯାଉଥିବା ଯୁବତୀକୁ ଅଟକା ଯାଇଥିଲା । କାରଣ ସ୍କୁଟିର ନମ୍ବର ପ୍ଲେଟ ଭାଙ୍ଗି ଯିବା ସହିତ ସେଥିରୁ ଗୋଟେ ଅଙ୍କ କୁଆଡେ ଗାୟବ ହୋଇଯାଇଥିଲା । ଏହାସହିତ ହେଲମେଟରେ ବେଲ୍ଟ ନଥିଲା ଏବଂ ଯୁବତୀ ଜଣଙ୍କ ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ।
ଯେତେବେଳେ ଯୁବତୀ ଜଣଙ୍କୁ ପୋଲିସ ଅଟକାଇ ଥିଲା ସେ ପୋଲିସ ସହିତ ଯୁକ୍ତି କରିବା ଆରମ୍ଭ କରିଦେଇଥିଲେ । କାରଣ ସେ ଜାଣିଯାଇଥିଲେ ଯେ ଏକ ମୋଟା ଅଙ୍କର ଚାଲାଣ କଟାଯିବ । ସେଥିପାଇଁ ସେ ସେଠାରୁ ଖସିବା ଲାଗି ପ୍ଲାନ ପକାଇଥିଲେ । ବାରମ୍ବାର ଗାଡି ଚାବି ଲଗାଇ ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିଲେ । ଶେଷରେ ପୋଲିସ ଯୁବତୀ ଠାରୁ ଚାବି ଛଡାଇନେଇଥିଲା । ଏହାପରେ ସେହି ଯୁବତୀ ରାଗି ଯାଇ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ କାଢି ରାସ୍ତାକୁ ଫୋପାଡି ଦେବା ସହ କାନ୍ଦିବା ଆରମ୍ଭ କରିଦେଇଥିଲେ । ଏହାପରେ ଦ୍ୱିତୀୟ ଥର ଏଭଳି ଭୁଲ୍ ନକରିବା ପାଇଁ ଯୁବତୀକୁ ପୋଲିସ କହିବା ସହ ତାକୁ ଛାଡି ଦେଇଥିଲା ।