ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ଆଇନ୍ ଗ୍ରହଣ କରାଯାଇଛି । କରୋନା ମୁକାବିଲାର ମୁଖ୍ୟ ଯୋଦ୍ଧା ସାଜିଥିବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କୁ ଯଦି କୌଣସି ବ୍ୟକ୍ତି ଆକ୍ରମଣ କରନ୍ତି ବା ଭେଦଭାବ କରନ୍ତି ତେବେ ତାଙ୍କ ବିରୋଧରେ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଅଧ୍ୟାଦେଶକୁ ମହାମାରୀ ଅଧିନିୟମ ୧୮୯୭ ରେ ସଂଶୋଧନ ପାଇଁ ମଞ୍ଜୁର ଦିଆଯାଇଛି । ଏହାସହିତ ଆକ୍ରମଣ କାରୀଙ୍କୁ ଅତି କମ୍ ରେ ୬ ମାସ ଏବଂ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ସେହିପରି ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା । ଯଦି ଡାକ୍ତରଙ୍କ ସମ୍ପତିକୁ ନଷ୍ଟ କରନ୍ତି ତେବେ ବଜାର ମୂଲ୍ୟରେ ୨ ଗୁଣା କ୍ଷତି ପୂରଣ ଦେବାକୁ ପଡିବ ଏନେଇ କନ୍ଦ୍ରେମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ।
ପ୍ରକାଶ ଜାଭେଦ କର କହିଛନ୍ତି କି, ମହାମାରୀରୁ ଦେଶକୁ ରକ୍ଷା କରିବା ପାଇଁ ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି । ତାଙ୍କ ବିରୋଧରେ କୌଣସି ହିଂସା ସହନ କରାଯାଇ ପାରିବ ନାହିଁ । ସେଥିପାଇଁ ଏହି ଅଧ୍ୟାଦେଶ ଅଣାଯାଇଛି, ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଲାଗୁ କରାଯିବ ।
ସାରା ଦେଶରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ କରିବା ଲାଗି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।