ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୪ ରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ଏବେ ଗୁଜୁରାଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭାରତ ପକ୍ଷରୁ ଅଭେଦ ସୁରକ୍ଷା ବଳୟ କରାଯାଉଛି । ତେବେ ଅଧିକ ସୁରକ୍ଷା ପାଇଁ ବିଦେଶରୁ ଆସିଛନ୍ତି ୨୦୦ ସ୍ନାଇପର । ଆଜି ଆମେରିକାର ହର୍କୁଲେସ ବିମାନ ଭାରତ ପହଞ୍ଚିଛନ୍ତି । ଯେଉଁଥିରେ ୨୦୦ ସ୍ନାଇପର ଆସିଛନ୍ତି । ଯେଉଁମାନେ ଏଠାରେ ରହି ଏବେ ସୁରକ୍ଷା ବଳୟ ତିଆରି କରିଛନ୍ତି ।
ସୂଚନା ଅନୁସାରେ ଏହି ସ୍ନାଇପର ମାନେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ସ୍ଥାପନ କରିଛନ୍ତି । ଟ୍ରମ୍ପ ପ୍ରଥମେ ଗୁଜୁରାଟ ଗସ୍ତ କରିବେ । ସେହିଭଳି ଅହମ୍ମଦାବାଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆମେରିକାରୁ ଆସିଥିବା ସ୍ନାଇପର ମାନେ ଏଠାରେ ଭାରତୀୟ ସୁରକ୍ଷା ଏଜେନ୍ସି ଓ ଅହମ୍ମଦାବାଦ ପୋଲିସ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ସେହିଭଳି ଏୟାରପୋର୍ସ-୧ ବିମାନ ବନ୍ଦରରେ ଲାଗିବାର ୩ ଘଣ୍ଟା ପୂର୍ବରୁ ମଧ୍ୟ ବିମାନ ବନ୍ଦର ମଧ୍ୟକୁ ଅନ୍ୟ କୌଣସି ବିମାନ ଅବତରଣ ଓ ଉଡାଣ ଭରିବାକୁ ଅନୁମତି ଦିଆଯିବ ନାହିଁ ।