ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରତିଦିନ ବଢିଚାଲିଥିବା ଦରଦାମ୍ରେ ଚିନ୍ତିତ ଥିବା ମଧ୍ୟମ ଶ୍ରେଣୀର ଲୋକମାନଙ୍କ ପାଇଁ ଆଉ ଏକ ମହଙ୍ଗା ମାଡ । ପିଆଜ ଏବଂ ପେଟ୍ରୋଲ ପରେ ଘରେ ଘରେ ପ୍ରତିଦିନ ଆବଶ୍ୟକ ହେଉଥିବା କ୍ଷୀର ଭଳି ଏକ ନିତ୍ୟାବଶ୍ୟକ ଜିନିଷର ଦାମ୍ ବୃଦ୍ଧି ହୋଇଛି ।
‘ମଦର ଡେୟରୀ’ ଓ ‘ଅମୁଲ୍’ ଭଳି ଦୁଇଟି ଆଗ ଧାଡିର ଦୁଗ୍ଧ ବ୍ୟବସାୟୀ ସଂସ୍ଥା ଆଜି କ୍ଷୀରର ଦାମ୍ ବଢାଇଛନ୍ତି । ମଦର ଡେୟରୀ କ୍ଷୀର ଲିଟର ପିଛା ୩ଟଙ୍କା ବଢାଇ ଥିବା ବେଳେ ଅମୁଲ୍ କ୍ଷୀର ଲିଟର ପିଛା ୨ଟଙ୍କା ବଢାଇ ଦେଇଛି ।
ମଦର ଡେୟରୀ ଟୋନଡ୍ ମିଲ୍କ ୪୨ଟଙ୍କାରୁ ବଢି ୪୫ଟଙ୍କା ହୋଇଥିବା ବେଳେ, ଫୁଲ କ୍ରିମ୍ କ୍ଷୀର ୫୩ ଟଙ୍କାରୁ ବଢି ୫୫ଟଙ୍କାରେ ପହଞ୍ଚିଛି ।
ସେପଟେ ଅମୁଲ୍ ମିଲ୍କସ୍ ର ବର୍ଦ୍ଧିତ ଦାମ୍ ଅନୁସାରେ ଅମୁଲ୍ ଗୋଲ୍ଡ ମିଲ୍କ ବର୍ତ୍ତମାନ ଲିଟର ପିଛା ଦାମ୍ ବଢି ୫୬ ଟଙ୍କାରେ ପହଞ୍ଚିଛି ।
ସାଧାରଣତ ଶୀତ ଦିନରେ କ୍ଷୀରର ଦାମ୍ କମିଥାଏ ହେଲେ ଚଳିତ ବର୍ଷ ଏହା ବିପରିତ ମନେ ହେଉଛି । ମଦର ଡେୟରୀ ଓ ଅମୁଲ୍ ଭଳି ଦୁଇଟି ବଡ କ୍ଷୀର ଉତ୍ପାଦକ ସଂସ୍ଥା ଗତ ଦୁଇ ବର୍ଷରେ ତିନି ଥର ଦାମ୍ ବୃଦ୍ଧି କରିଛନ୍ତି ।