ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଫଗାନିସ୍ତାନ ଏବେ ତାଲିବାନ ଦଖଲକୁ ଚାଲି ଯିବା ପରେ ସେଠାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ବାୟୁସେନାର ସି ୧୭ ବିମାନ କାବୁଲ ବିମାନବନ୍ଦରରେ ଜାରି ରହିଥିବା ବିଶୃଙ୍ଖଳା ମଧ୍ୟରେ ଭାରତୀୟ ଦୂତବାସ ଅଧିକାରୀଙ୍କ ସହ ଭାରତ ଅଭିମୁଖେ ଯାତ୍ରା କରିଛି । ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି । କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ପହଞ୍ଚିଛନ୍ତି।
ଆଜି ସକାଳୁ କାବୁଲ ଏୟାରପୋର୍ଟ ଖୋଲିଥିବା ବେଳେ ମିଲିଟାରୀ ଫ୍ଲାଇଟ୍ରେ ସେଠାରେ ରହୁଥିବା ଭାରତୀୟ ଦୂତାବାସ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଉଛି।
ଗତକାଲି ଏପରି ଏକ ଛାତିଥରା ଚିତ୍ର ସାମ୍ନାକୁ ଆସିଥିଲା। ସେଠାକାର ୩ ଜଣ ବ୍ୟକ୍ତିଙ୍କୁ ତରବରିଆ ଭାବେ ବିମାନରେ ଚଢ଼ିବା ମହଙ୍ଗା ପଡିଛି। ଫଳରେ ବିମାନ ଉଡାଣ ବେଳେ ତଳେ ଖସିପଡି ଏହି ବ୍ୟକ୍ତିଙ୍କ ଜୀବନ ଯାଇଛି।
ଏବେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ତିଆରି ହୋଇଛି । ଏହା ମାଧ୍ୟମରେ ତାଲିବାନ ନିୟନ୍ତ୍ରିତ ଦେଶ ଆଫଗାନିସ୍ତାନକୁ ଛାଡିବାକୁ ଚାହୁଁଥିବା ଲୋକେ ଭିସା ପାଇଁ ଶୀଘ୍ର ଆବେଦନ କରି ଶୀଘ୍ର ଭିସା ପାଇପାରିବେ।ତେବେ କାବୁଲ ଏୟାରସ୍ପେସ ବନ୍ଦ ହେବା ପରେ ଏବେ କେବଳ ସେନା ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି।