ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସର ବଢୁଥିବା ପ୍ରକୋପକୁ ରୋକିବା ପାଇଁ ରେଲୱେ ପକ୍ଷରୁ ରବିବାର ଏକ ବଡ ପଦକ୍ଷେପ ନିଆଯାଇଛି । ଆଗାମୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍ ବାତିଲ କରାଯାଇଛି । ରେଲୱେ ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି ୨୨ ମାର୍ଚ୍ଚ ବିଳମ୍ବିତ ରାତ୍ରିରୁ ୩୧ ମାର୍ଚ୍ଚ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍ ବାତିଲ କରାଯାଇଛି ଏବଂ କେବଳ ମାଲବାହୀ ଗାଡି ଚାଲିବ ।
ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶରେ କର୍ଫ୍ୟୁ ଜାରି ରହିଛି । ଏଥିପାଇଁ ସମସ୍ତ ଗାଡି ଚଳାଚଳ ଏବଂ ଟ୍ରେନ୍ ବନ୍ଦ ରହିଛି । କେବଳ ଜରୁରୀ ସେବା ଜାରି ରହିଛି ।
ଜନତା କର୍ଫ୍ୟୁର ପ୍ରଭାବରେ ଲୋକେ ଘରେ ବନ୍ଦ ହୋଇ ରହିଛନ୍ତି । ରାସ୍ତା ଘାଟ ସମେତ ଚାରିଆଡେ ଖାଁ ଖାଁ । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି କର୍ଫ୍ୟୁ ରାତି ୯ଟା ପର୍ଯ୍ୟନ୍ତ ଜାରି ରହିବ ।