ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୀର୍ଘ ୧୪୫ ଦିନ ପରେ ଆଜି ଲଦାଖର କାର୍ଗିଲରେ ପୁଣି ଆରମ୍ଭ ହୋଇଛି ମୋବାଇଲ ଇଣ୍ଟରନେଟ ସେବା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ଅଗଷ୍ଟ ୫ ତାରିଖରେ ଉଚ୍ଛେଦ କରାଯାଇଥିଲା । ସେଠାରେ ଉତ୍ତେଜନା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କାର୍ଗିଲ ଅଞ୍ଚଳରେ ଇଣ୍ଟରନେଟ ସେବାକୁ କାଟି ଦିଆଯାଇଥିଲା । ସୋସିଆଲ ମିଡିଆ ସାହାଯ୍ୟରେ ବିଭିନ୍ନ ଗୁଜବକୁ ପ୍ରସାର କରାଯାଇ ହିଂସା ସୃଷ୍ଟି କରାଯାଇ ପାରିଥାନ୍ତା । ଏହି ଗୁଜବ ଓ ହିଂସାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ଅର୍ନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା ।
ସୂଚନା ଅନୁସାରେ ବର୍ତ୍ତମାନ କାର୍ଗିଲର ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇଛି । ତେଣୁ ସେଠାରେ ଇଣ୍ଟରନେଟ ସୁବିଧା ପୁଣି ଆରମ୍ଭ କରାଯାଇଛି । ଏହି ସୁବିଧାର ଅପବ୍ୟବହାର ନକରିବାକୁ ସ୍ଥାନୀୟ ନେତା ମାନେ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ନ ସୃଷ୍ଟି ହେଉ ବୋଲି କେନ୍ଦ୍ର ସରକାର ସେଠାରେ ୭୦୦୦ରୁ ଅଧିକ ପାରାମିଲିଟାରି ଯବାନଙ୍କୁ ମୁତୟନ କରିଥିଲେ । ତେବେ ପ୍ରାୟ ୪ ମାସ ପରେ ସରକାର ସେଠାରୁ ପାରାମିଲିଟାରି ଯବାନ ମାନଙ୍କୁ ପ୍ରତ୍ୟାହାର ପରେ ଇଣ୍ଟରନେଟ ସେବା ଆରମ୍ଭ କରିଛନ୍ତି ।