ବିଶାଖାପାଟଣ(ଏଟିଆର ବ୍ୟୁରୋ): ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ମ୍ୟାଚ ଗତକାଲି ବିଶାଖାପାଟଣରେ ଖେଳା ଯାଉଥିଲା । ୱେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଶର୍ମା ଓ କେଏଲ ରାହୁଲ । ଏହି ଦୁଇ ଜଣଙ୍କ ବିସ୍ଫରକ ବ୍ୟାଟିଂ ବଳରେ ଭାରତ ୩୮୭ ରନ ସଂଗ୍ରହ କରିପାରିଥିଲା ।
ୱେଷ୍ଟଇଣ୍ଡିଜକୁ ପ୍ରଥମ ୱିକେଟ ହାସଲ କରିବା ପାଇଁ ବହୁ ସଂର୍ଘଷ କରିବାକୁ ପଡିଥିଲା । ୨୨୭ ରନରେ ୱେଷ୍ଟଇଣ୍ଡିଜ ପ୍ରଥମ ୱିକେଟ ହାସଲ କରିପାରିଥିଲା । ରୋହିତ ଶର୍ମା ୧୩୮ଟି ବଲ ଖେଳି ୧୫୯ ରନ କରିଥିବା ବେଳେ ରାହୁଲ ନିଜର ଦିନିକିଆ କ୍ୟାରିୟରରେ ୩ୟ ଶତକ ହାସଲ କରିପାରିଛନ୍ତି । ଇନିଂସର ଶେଷ ଭାଗରେ ରିଷଭ ପନ୍ତ(୧୬ ବଲରେ ୩୯) ଓ ଶ୍ରେୟସ ଆୟର(୩୨ ବଲରେ ୫୩)ଙ୍କ ଦମଦାର ବ୍ୟାଟିଂ ଭାରତୀୟ ଦଳକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲା । ତେବେ ଭାରତ ୫୦ ଓଭରରେ ୫ ୱିକେଟ ହରାଇ ୩୮୭ ରନ କରିଥିଲା ।
ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲା ୱେଷ୍ଟଇଣ୍ଡିଜ ଦଳ । ଇନିଂସର ଆରମ୍ଭରୁ ଦଳ ଭଲ ପ୍ରର୍ଦଶନ କରିପାରିଥିଲା । ତେବେ ୨୯ ଓଭର ସୁଦ୍ଧା ୱେଷ୍ଟଇଣ୍ଡିଜ ୨୦୦ ରନ ସଂଗ୍ରହ କରିପାରିଥିଲା । ତେବେ ଏହା ପରେ ୩୨ ଓଭରରେ କୁଲଦୀପ ଯାଦବ ହାଟ୍ରିକ ନେବାରେ ସଫଳ ହୋଇଥିଲେ । କୁଲଦୀ ଯାଦବଙ୍କ ହାଟ୍ରିକ ପରେ ୱେଷ୍ଟଇଣ୍ଡିଜ ଟିମ ହାରିବା ସୁନିଶ୍ଚିତ ହୋଇଯାଇଥିଲା । ଏହା ପରେ ୧୦୭ ରନ ବ୍ୟବଧାନରେ ଭାରତ ୱେଷ୍ଟଇଣ୍ଡିଜ ଠାରୁ ଜିତିଯାଇଥିଲା । ଏହା ସହ ୧-୧ରେ ସିରିଜ ବରାବର କରି ଦେଇଥିଲା ଭାରତ । ଭାରତ ପକ୍ଷରୁ କୁଲଦୀପ ଓ ଶାମି ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜା ୨ଟି ଓ ଶାର୍ଦ୍ଦୁଲ ଗୋଟିଏ ୱିକେଟ ନେଇଥିଲେ । ତେବେ ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଶେଷ ତଥା ନିର୍ଣ୍ଣୟକ ମ୍ୟାଚ ଖେଳା ଯିବ ।