ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୂର୍ବତଟ ରେଳ ପଥର ପ୍ରମୁଖ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯିବ । ରାଜ୍ୟରେ ଥିବା ବଡ ବଡ ରେଳ ଷ୍ଟେସନରେ ଆଇପି ସର୍ଭେଲାନ୍ସ କ୍ୟାମେରା ଲଗାଯିବ । ଏନେଇ ରେଲୱେ ବୋର୍ଡ ଅନୁମତି ଦେଇସାରିଛି । ନିର୍ଭୟା ଫଣ୍ଡରୁ ରେଲୱେକୁ ମିଳିଥିବା ୨୫୦ କୋଟି ଟଙ୍କାରେ ଦେଶର ୯୮୩ ଷ୍ଟେସନରେ ଏହି କ୍ୟାମେରା ଲଗାଇବାକୁ ରେଲୱେ ସ୍ଥିର କରିଛି । ସୁଚନା ଅନୁସାରେ ଷ୍ଟେସନ ପ୍ରତୀକ୍ଷାଳୟ, ଟିକେଟ କାଉଣ୍ଟର, ପାର୍କିଂ, ପ୍ରବେଶ ଦ୍ୱାର, ପ୍ରସ୍ଥାନ ଦ୍ୱାର,ପ୍ଲାଟଫର୍ମ, ବୁକିଂ କାର୍ଯ୍ୟଳୟରେ ଇଣ୍ଟରନେଟ ପ୍ରୋଟୋକଲ ଭିଡିଓ ସର୍ଭେଲାନ୍ସ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।
ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ଟି ଷ୍ଟେସନରେ ଏହି କ୍ୟାମେରା ଲଗାଯିବ । ତେବେ ବର୍ତ୍ତମାନ ସୁଦ୍ଧା ୮୧ ଷ୍ଟେସନରେ ଏହି କ୍ୟାମେରା ଲଗାଯାଇ ସାରିଛି । କ୍ୟାମେରାରେ ରେକର୍ଡ ହେଉଥିବା ଚିତ୍ରକୁ ଅଧିକ ସ୍ପଷ୍ଟ କରିବା ପାଇଁ ୪ ପ୍ରକାରର କ୍ୟାମେରା ଲଗାଯିବ । ସେଗୁଡିକ ହେଲା ଡୋମ ଟାଇପ, ପାନ୍ ଟିଲ୍ଟ ଟାଇପ, ବୁଲେଟ ଟାଇପ, ଅଲଟ୍ରୋ-୪କେ କ୍ୟାମେରା । ପ୍ରତ୍ୟକ କ୍ୟାମେରାରେ ୧ଟିବି ଓ ୪କେ କ୍ୟାମେରାରେ ୪ ଟିବି ଡାଟା ରଖିପାରିବାର ବ୍ୟବସ୍ଥା କରାଯିବ । ଏହି ଭିଡିଓ ଗୁଡିକୁ ୩୦ ଦିନ ପର୍ଯ୍ୟନ୍ତ ରଖାଯିବ । ଏହାକୁ ଆରପିଏଫ ପରିଚାଳନା କରିବେ । ଏହି କାର୍ଯ୍ୟକୁ ରେଲୱେର ପିଏସୟୁ ୟୁନିଟ ରେଲଟେଲକୁ ଦିଆଯାଇ ଥିବାର ସୂଚନା ମିଳିଛି ।