ଭୁବନେଶ୍ୱର ( ଏଟଆର ବ୍ୟୁରୋ): ପଞ୍ଜାବର ଅମୃତସର ଜାଲିୱାନା ବାଗରେ ହୋଇଥିବା ନରସଂହାରକୁ ଆଜି ୧୦୦ ବର୍ଷ ପୂରଣ ହୋଇଛି । ୧୯୧୯ ମସିହା ୧୩ ଅପ୍ରେଲରେ ଇଂରେଜ ଜେନେରାଲ ଡାୟର ଙ୍କ ଦ୍ୱାରା ହୋଇଥିବା ଏହି ହତ୍ୟାକାଣ୍ଡରେ ସେ ସମୟରେ ବେସରକାରୀ ଭାବେ ୧୦୦୦ ରୁ ଅଧିକ ଲୋକ ମୃତୁ ବରଣ କରିଥିବା ବେଳେ ୨୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଯାହାକୁ ଆଜି ଇତିହାସରେ ବି ପଢିଲେ ଲୋମ ଟାଙ୍କୁରି ଉଠେ । ଆଜି ସେହିଦିନକୁ ୧୦୦ ବର୍ଷ ପୁରିଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଆଜି ଅମୃତସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି କର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପଞ୍ଜାବର ରାଜ୍ୟପାଳ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଅମୃତସରରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ରାହୁଳ ଶୁକ୍ରବାର ରାତିରେ ସେଠାରେ ପହଞ୍ଚି ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କରିଥିଲେ । ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ । ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଶତାବ୍ଦୀ ସମାରୋହ ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିଭଳି ଶହିଦଙ୍କ ସ୍ମରଣ ପାଇଁ ଡାକ ଟିକେଟ ଓ ମୁଦ୍ରା ଜାରି କରାଯିବାର କାର୍ଯ୍ୟକ୍ରମ ରହିଛି ।