ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଝାଡଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନର ଫଳାଫଳ ଘୋଷଣା ହୋଇଛି । ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ବିଜେପିର ସଭାପତି ଲଷ୍ମଣ ଗିଲୁବାଙ୍କ ପରାଜୟ ହୋଇଥିବା ବେଳେ ବିଜେପିକୁ ୨୫ ଟି ଆସନ ମିଳିଛି । ଅନ୍ୟ ପଟେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱରେ ମହାମେଣ୍ଟ ୪୭ଟି ଆସନରେ ବିଜୟୀ ହୋଇଛି । ମେଣ୍ଟର ଅଂଶଦାର କଂଗ୍ରେସକୁ ୧୬ ଟି ଆସନ ଓ ଆରଜେଡିକୁ ଗୋଟିଏ ଆସନ ମିଳିଛି । ସେହିଭଳି ଜେଭିଏମ୍ ୩ଟି, ଏଜେଏସୟୁ ୨ ଟି ଓ ଅନ୍ୟଦଳକୁ ୪ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ।
ରାଜ୍ୟରେ ବିଧାନସଭା ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ଭର ୨୦ରେ ଶେଷ ହୋଇଥିଲା । ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ନିଜର ମନ୍ତ୍ରୀ ମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ ତାରିଖରେ ରାଞ୍ଚି ସୋହରାବାଦୀ ପଡିଆରେ ଶପଥ ଗ୍ରହଣ କରିବେ । ଜେଏମଏମ ପାର୍ଟିର ମୁଖପାତ୍ରା ସୁପ୍ରିୟା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଆଜି ପାର୍ଟିର ବିଧାୟକ ମାନଙ୍କୁ ନେଇ ଏକ ବୈଠକ ବସିବ । ବୈଠକରେ ସମସ୍ତଙ୍କ ସହ ଆଲୋଚନା କରିବା ପରେ ହେମନ୍ତ ସୋରନଙ୍କୁ ନେତା ବଛାଯିବ । ପରେ ରାଜ୍ୟ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ । ବିଜୟୀ ପରେ ଜେଏମଏମ ନେତା ହେମନ୍ତ ସୋରେନ ଦଳର ଅଧ୍ୟକ୍ଷ ତଥା ତାଙ୍କ ବାପା ଶିବୁ ସୋରେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ଏହା ପରେ ହେମନ୍ତ ସୋରନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ଏକ ନୂଆ ଯୁଗର ଆରମ୍ଭ ହୋଇଛି । ରାଜ୍ୟବାସୀ ମାନଙ୍କ ପାଇଁ ଆମେ କାର୍ଯ୍ୟ କରିବୁ । ଏହାସହ ସେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଧନ୍ୟବାଦ ଦେଇଛନ୍ତି ।