ଶ୍ରୀନଗର (ଏଟିଆର ବ୍ୟୁରୋ): ଗତ ଶନିବାର ଦିନ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଡିଏସପି ଦେବେନ୍ଦ୍ର ଧରାପଡିଥିଲେ । ଡିଏସପି ଦେବେନ୍ଦ୍ର ସିଂହଙ୍କୁ ଗିରଫ କରାଯିବା ପରେ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ) ତାଙ୍କୁ ପଚରାଉଚରା କରୁଛନ୍ତି । ତେବେ ବାରମ୍ବାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଧରାପଡୁ ଥିବାରୁ ସରକାର ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରକୁ କେନ୍ଦ୍ରୀୟ ଶିଳ୍ପାଞ୍ଚଳ ସୁରକ୍ଷା ବଳ (ସିଆଇଏସଏଫ)କୁ ହସ୍ତାନ୍ତର କରିଛନ୍ତି ।
ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ଦୁଇ ସମ୍ବେଦନଶୀଳ ବିମାନବନ୍ଦରକୁ ସିଆରଏସଫକୁ ହସ୍ତାନ୍ତର କରିବାକୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିର୍ଦ୍ଦେଶ ଦେଇଛନ୍ତି । ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଡିଏସପି ଦେବେନ୍ଦ୍ର ବହୁ ତଥ୍ୟ ଦେବା ସହ କହିଛନ୍ତି ଯେ ସେ ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ଆତଙ୍କବାଦଙ୍କ ପହଞ୍ଚାଇବାରେ ସହଯୋଗ କରୁଥିଲେ । ତେବେ ଏହି ଖୁଲାସା ପରେ ସିଆଇଏସଏଫକୁ ଶ୍ରୀନଗର ଓ ଜମ୍ମୁର ସମସ୍ତ ସୁରକ୍ଷା ଦ୍ୱାୟିତ୍ୱ ଦିଆଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବିଗତ ଦିନରେ କେନ୍ଦ୍ର ସରକାର ଏହି ୩ଟି ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସମ୍ଭାଳିବାକୁ ୮୦୦ ସିଆଇଏସଏଫ ଯବାନଙ୍କ ନିଯୁକ୍ତିକୁ ମଂଜୁରୀ ଦେଇଥିଲେ । ସିଆଇଏସଏଫ ରାଷ୍ଟ୍ରୀୟ ବେସାମରିକ ବିମାନ ସୁରକ୍ଷା ବଳ ଅଟେ ଏବଂ ବର୍ତ୍ତମାନ ସମୟରେ ଦିଲ୍ଲୀ ଓ ମୁମ୍ବାଇ ସମେତ ୬୧ଟି ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ନେଇଛି ।