ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଜେଏନୟୁ ଅଶାନ୍ତ ହୋଇ ପଡିଛି । କିଛି ଦୁର୍ବୃତ୍ତ ମୁଖା ପିନ୍ଧି ଜେଏନୟୁ ସଭାପତିଙ୍କୁ ଆକ୍ରମଣ କରିଛନ୍ତି । ଜେଏନୟୁ ସଭାପତି ଆଇଶି ଘୋଷ ଗୁରୁତର ଆହତ ହୋଇଛନ୍ତି । ଏବିଭିପି ଓ ବାମପନ୍ଥୀ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହି ଅଘଟଣ ଘଟିଛି । ଏବିଭିପି ଆକ୍ରମଣ କରିଥିବା ଅଭିଯୋଗ କରିଛି ବାମପନ୍ଥୀ ଦଳ । ଏହି ଘଟଣା ଘଟିବା ପରେ ପୋଲିସ ଜେଏନୟୁର ସମସ୍ତ ଗେଟକୁ ପୋଲିସ ବନ୍ଦ କରି ଦେଇଛି ।
ସେପଟେ ଏବିଭିପି ଅଭିଯୋଗ କରିଛି ବାମପନ୍ଥୀ ଗୋଷ୍ଠୀ ଏବିଭିପିର ୨୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୃଢ ନିନ୍ଦା କରିଛନ୍ତି । ସେହିଭଳି ପି ଚିଦାମ୍ବରବ କହିଛନ୍ତି ସରକାରଙ୍କର ଏଥିରେ ସମ୍ପୃକ୍ତି ରହିଛି । ମୁଖା ପିନ୍ଧି ଯେତେବେଳେ ଆକ୍ରମଣ କରିବାକୁ ଗଲେ ସେତେବେଳେ ପୋଲିସ କ’ଣ କରୁୂଥିଲା ।
ସେପଟେ ଏହି ଘଟଣାକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିନ୍ଦା କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡ ଦିଆଯାଉ । ଏଥିସହିତ ଆକ୍ରମଣରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତିି ମୁଖ୍ୟମନ୍ତ୍ରୀ ।