ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣିଥରେ କେରଳରେ ବ୍ୟାପୁଛି ନିପାହା ଆତଙ୍କ । କୋଚ୍ଚିର ଜଣେ ଛାତ୍ରକୁ ନିପାହା ହୋଇଛି ବୋଲି ଜାଣିବାକୁ ମିଳିଥିଲା, ଏହାପରେ ପୁଣେ ସ୍ଥିତ ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥାନ ପକ୍ଷରୁ ତଦନ୍ତ କରାଯିବା ପରେ ରିପୋର୍ଟ ପଜେଟିଭ୍ ଆସିଛି । ସେପଟେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ବି କୋଚ୍ଚି ଏର୍ଣ୍ଣାକୁଲମ ର ଛାତ୍ର ନିପାହା ଭାଇରସ ସଂକ୍ରମିତ ହେବାର ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲେଜା କହିଛନ୍ତି କି, ନିପାହା ଭାଇରସରେ ଆକ୍ରାନ୍ତ ଥିବା ଛାତ୍ର ଯେଉଁ ଲୋକଙ୍କ ସଂଶ୍ପର୍ଷରେ ଆସିଛନ୍ତି, ସେମାନଙ୍କ ଚିିକିତ୍ସା ମଧ୍ୟ ଜାରି ରହିଛି । ଏହାସହିତ କୋଚ୍ଚିର କଲାମସେରୀ ମେଡିକାଲ କଲେଜ ହସ୍ପିଟାଲରେ ଏଥିପାଇଁ ସ୍ୱତନ୍ତ୍ର ୱାର୍ଡ କରାଯାଇଛି ।
ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କୁ ଏହି ଘଟଣା ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଣାଇବା ପରେ ମୁଖ୍ୟମନ୍ତ୍ରୀ କୋଚ୍ଚି ଗସ୍ତରେ ପହଁଚିଥିଲେ । ସୋମବାର ସେ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ କରିଥିଲେ । ଏହି ଭାଇରସକୁ ନେଇ ଲୋକେ ଭୟବୀତ ନହେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଅପିଲ କରିବା ସହ ସେ କହିଛନ୍ତି କି , ଏଥିପାଇଁ ଡରିବାର କୌଣସି ଆବଶ୍ୟକ ନାହିଁ, ଏହି ସ୍ଥିତି ସହ ଲଢେଇ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ । କୋଝିକଡର ଚିକିତ୍ସା ବିଶେଷଜ୍ଞ ପ୍ରଥମରୁ ହିଁ କୋଚ୍ଚିରେ ପହଁଚିଯାଇଛନ୍ତି । ଏହି ଭାଇରସ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ତଥା ଚିକିତ୍ସା ଉପକରଣ ବି ଉପଲବ୍ଧ ରହିଛି ।
ଗତବର୍ଷ ବି ଏହି ନିପାହା ଭାଇରସ କେରଳରେ ବ୍ୟାପିଥିଲା । ଏନେଇ ସରକାର ମଧ୍ୟ କୋଝିକୋଡ ଏବଂ ମଲପୁରମ ଜିଲ୍ଲାରେ ନିପାହା ଭାଇରସ ପାଇଁ ସଫଳତା ପୂର୍ବକ ଲଢେଇ କରିଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହାସହିତ ସୋସିଆଲ ମିଡିଆରେ ଯେପରି ଏହି ଭାଇରସକୁ ନେଇ କୌଣସି ଗୁଜବ ଭାଇରାଲ ନକରାଯାଉ ସେନେଇ ଅପିଲ କରିଛନ୍ତି । ସେ କହିଛନ୍ତି କି କୌଣସି ପ୍ରକାରର ମିଛ ସୂଚନା ପ୍ରସାରଣ କରି ସାଧାରଣ ଜନତଙ୍କ ମଧ୍ୟରେ ଭୟ ସୃଷ୍ଟି କରାନ୍ତୁ ନାହିଁ ।