ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକେ ଏବେ ଡିଜିଟାଲ ଯୁଗରେ ପହଁଚିଲେଣି । ଧୀରେ ଧୀରେ ସବୁକିଛି ଡିଜିଟାଲ ହେବାରେ ଲାଗିଛି । ଠିକ୍ ଏହାକୁ ଦୃଷ୍ଟିରେ ରଖି କେରଳରେ ରାଜ୍ୟ ସରକାର ଏଭଳି ଏକ ବଗିଚାକୁ ବିକସିତ କରିବାକୁ ଯାଉଛନ୍ତି ଯାହା ସମ୍ପୂର୍ଣ୍ଣ ଡିଜିଟାଲ । ଏହି ବଗିଚାରେ ଥିବା ସମସ୍ତ ଗଛରେ କ୍ୟୁଆର କୋର୍ଡ
ଲଗାଯିବ, ଯାହାକୁ ସ୍କାନ କରିବା ଦ୍ୱାରା ଆପଣ ଗଛ ସହ ଜଡିତ ସମସ୍ତ ସୂଚନା ପାଇପାରିବେ ।
କେରଳର ରାଜଭବନରେ ଏହି ଗାର୍ଡେନ ରହିଛି । ଯାହା କନକକୁନ୍ନୁ ନାମରେ ବେଶ୍ ଜଣା ଶୁଣା । ୧୨ ଏକର ଜମିର ବିସ୍ତୃତ ହୋଇଥିବା ଏହି ବଗିଚାରେ ୧୨୬ ପ୍ରଜାତିର ଗଛ ରହିଛି, ଯାହାକୁ ଡିଜିଟାଲ ସୂଚନା ସହ ସୁସଜିତ କରାଯାଉଛି ।
ପ୍ରାଥମିକ ସ୍ତରରେ ବଗିଚାରେ ଥିବା ଏକ ହଜାର ଗଛ ମଧ୍ୟରୁ କେବଳ ୬୦୦ ଗଛରେ କ୍ୟୁଆର କୋର୍ଡ ଲଗାଯାଇଛି । ବଳକା ବଞ୍ଚିଥିବା ଗଛ ଗୁଡିକରେ ଖୁବ୍ ଶୀଘ୍ର କ୍ୟୁଆର କୋର୍ଡ ଲଗାଯିବ । ଏହି କାର୍ଯ୍ୟକୁ କେରଳ ବିଶ୍ୱବିଦ୍ୟାଳୟର ବନସ୍ପତି ବିଜ୍ଞାନ ବିଭାଗ ବି ସହଯୋଗ କରୁଛି ।
ସେପଟେ ଦିଲ୍ଲୀର ଲୁଟିୟଂସ ଜୋନ୍ ସ୍ଥିତ ପ୍ରସିଦ୍ଧ ଲୋଧି ଗାର୍ଡେନରେ ବି ପାଖାପାଖି ୧୦୦ ଗଛରେ କ୍ୟୁଆର କୋର୍ଡ ଲଗାଯାଇଛି । ଯାହାଦ୍ୱାରା ଲୋକଙ୍କୁ ଗଛର ମହତ୍ୱ ବିଷୟରେ ସୂଚନା ମିଳି ପାରୁଛି । ଯେଉଁସବୁ ଗଛରେ କ୍ୟୁଆର କୋର୍ଡ ଲଗାଯାଇଛି ସେଗୁଡିକ ୧୦୦ ବର୍ଷରୁ ଅଧିକ ପୁରୁଣା ।
ସେହିପରି ଆମେରିକା ଏବଂ ଜାପାନ ଭଳି ଦେଶରେ ଗଛରେ କ୍ୟୁଆର କୋର୍ଡ ଲଗାଇବା ବାଧ୍ୟତାମୂଳକ । ଯାହାଦ୍ୱାରା ଲୋକେ ଗଛର ବିଶେଷତ୍ୱ ବିଷୟରେ ନିଜ ଫୋନ୍ ରେ କୋଡ୍ କୁ ସ୍କାନ କରି ଜାଣିପାରିବେ । ଏହାସହିତ ଗଛ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ଦେଖିବାକୁ ମିଳିଥାଏ ।