ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ସଡନ୍ଲି ଆଁଖ୍ ମାର୍ନା ୟାଦ୍ ରେହେତା ହୈ… ସଡନ୍ଲି ଗଲେ ଲଗାନା ୟାଦ୍ ରେହେତା ହୈ… ସଡନ୍ଲି ଲେଡି ପତ୍ରକାରୋକେଁ ସାଥ୍ ମିଟିଙ୍ଗ୍ ତୋ ୟାଦ୍ ରେହେତା ହୈ… ରାହୁଲ ଗାନ୍ଧୀଙ୍କ ଉପରେ ଚିହିଁକି କଂଗ୍ରେସ ପ୍ରବକ୍ତାଙ୍କୁ କିଛି ଏମିତି ଜବାବ ଦେଇ ଏବେ ଚର୍ଚ୍ଚାରେ ଜଣେ ମହିଳା ଉପସ୍ଥାପିକା । ଜାତୀୟ ନ୍ୟୁଜ ଚ୍ୟାନେଲ ଜୀ-ନ୍ୟୁଜରେ ଦିଲ୍ଲୀ ଅନାହାର ମୃତ୍ୟୁ ସଂପର୍କିତ ବିତର୍କ ଚାଲୁଥିବା ବେଳେ ଏମିତି ଚିହିଁକି ଉଠିଥିଲେ ଲେଡି ଆଙ୍କର ରୁବିକା ଲିୟାକତ୍ ।
ଦିଲ୍ଲୀରେ ଅନାହାରରେ ୩ ଭଉଣୀଙ୍କ ମୃତ୍ୟୁ ପୁରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହାକୁ ନେଇ ସବୁ ଜାତୀୟ ଗଣମାଧ୍ୟମରେ ଜୋରଦାର ବିତର୍କ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ଅନାହାରର ଅନାବୃତ ଚେହେରା ଯେମିତି ସମସ୍ତଙ୍କୁ ବ୍ୟସ୍ତ, ବିବ୍ରତ ଓ ବ୍ୟଥିତ କରିଛି । ଯାହାକୁ ନେଇ ବିତର୍କ ହେବା ସ୍ୱାଭାବିକ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିତର୍କରେ କଂଗ୍ରେସ ପ୍ରବକ୍ତାଙ୍କ ଉତ୍ତର ଉପସ୍ଥାପିକାଙ୍କୁ ଏତେ ବିବ୍ରତ କରାଇ ଦେଇଥିଲା ଯେ, ସେ ପୁରା ରାଗିକି ଲାଲ୍ ହୋଇ ଯାଇଥିଲେ । ଜୀ-ନ୍ୟୁଜର ଏକ ବିତର୍କରେ ଭାଗନେଇ କଂଗ୍ରେସ ପ୍ରବକ୍ତା ଅମୃତା ଧାବନ କହିଥିଲେ, ଯଦି ଏହାକୁ ନେଇ ଅତି ସମ୍ବେଦନଶୀଳ ପ୍ରସଙ୍ଗ ତିଆରି କରିବାକୁ ଚାହୁଁଛି ତେବେ ଏହା ଆପଣଙ୍କର ଅଧିକାର ଅଟେ । ଏତିକି ଶୁଣି ବିରକ୍ତ ହୋଇ ଯାଇଥିଲେ ଉପସ୍ଥାପିକା । କହିଥିଲେ ମୋର ମଧ୍ୟ ଦୁଇ ବର୍ଷର ପୁଅ ରହିଛି, ଯାହାର ଭୋକ ଦେଖିଲେ ମୋର କଲିଜା କାନ୍ଦେ । ଆପଣ କେମିତି ଏମିତି କହି ପାରୁଛନ୍ତି କହି ଅମୃତା ଧାବନଙ୍କ ଉପରେ ଜୋର ବର୍ଷିଥିଲେ ଉପସ୍ଥାପିକା ରୁବିକା ।
ତେବେ ବିତର୍କକୁ ଆଗକୁ ନେଇ ଦିଲ୍ଲୀ ଅନାହାର ମୃତ୍ୟୁ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେମିତି ଗଣମାଧ୍ୟମକୁ ଏଡେଇ ଯାଇଥିଲେ ତାହା ବି ଦେଖାଇଥିଲେ ରୁବିକା । ଏକଦମ ନାୟକ ସିନେମାର ସେହି ଦୃଶ୍ୟ ଭଳି । ରାହୁଲ କେମିତି ଏହି ପ୍ରସଙ୍ଗକୁ ଏଡେଇ ଯାଇଥିଲେ ତାହା ଲାଇଭ ଡିବେଟରେ ପ୍ଲେ କରି ଦେଖାଇଥିଲେ ଆଙ୍କର । ଅବଶ୍ୟ ନିଜ ଦଳକୁ ଡିଫେଣ୍ଡ କରିବାକୁ ଯାଇ ଅମୃତା କହିଥିଲେ ଅଚାନକ କିଛି ପ୍ରଶ୍ନ କଲେ କଣ କରାଯାଇ ପାରିବ । ଯାହାକୁ ନେଇ ରୁବିକା ତୁରନ୍ତ ଜବାବ ଦେଇ କହିଥିଲେ ସଡନ୍ଲି ଆଁଖ୍ ମାର୍ନା ୟାଦ୍ ରେହେତା ହୈ… ସଡନ୍ଲି ଗଲେ ଲଗାନା ୟାଦ୍ ରେହେତା ହୈ… ସଡନ୍ଲି ଲେଡି ପତ୍ରକାରୋକେଁ ସାଥ୍ ମିଟିଙ୍ଗ୍ ତୋ ୟାଦ୍ ରେହେତା ହୈ… । ଜାତୀୟ ଗଣମାଧ୍ୟମରେ ଉପସ୍ଥାପିକାଙ୍କ ଏମିତି ରାଗ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।