ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ କିଏ ସରକାର ଗଢିବ ତାକୁ ନେଇ ଚାଲୁଥିବା ହାଇଭୋଲଟେଜ ଡ୍ରାମା ସରିବାର ନାଁ ନେଉନି । ପ୍ରତି ମୂହୁର୍ତ୍ତରେ କାହାଣୀରେ ଆସୁଛି ନୁଆ ମୋଡ । ମହାରାଷ୍ଟ୍ରରେ କିଏ ସରକାର ଗଢିଗ ତାକୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । କେତେବେଳେ ଶୁଣିବାକୁ ମିଳୁଛି କଂଗ୍ରେସ ସହିତ ଶିବସେନା ମେଣ୍ଟ କରିବ ତ ପୁଣି କେତେବେଳେ ଏନସିପି ସହ କଂଗ୍ରେସ କରିବ ଆଲୋଚନା । ଏମିତି କିଛି ପ୍ରତିମୂହୁର୍ତ୍ତରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବିଜେପି ଓ ଶିବସେନା ଠାରୁ ଆରମ୍ଭ ହୋଇଥିବା ଏହି ମହାନାଟକରୁ ବିଜେପି ଓହରି ଯାଇଥିବା ବେଳେ ଏବେ କଂଗ୍ରେସ , ଏନସିପି ଓ ଶିବସେନା ଉପରେ ରହିଛି ସାରା ଦେଶର ନଜର ।
ଗତ କାଲି ସଂନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ୧୦ ଜନପଥ ସ୍ଥିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭାବନରେ ପହଞ୍ଚିବା ପରେ ଶିବସେନାକୁ ସମର୍ଥନ ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଥିଲା । ମାତ୍ର ପରେ ହଠାତ୍ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଆମେ ମହାରାଷ୍ଟ୍ର ସରକାର ଗଠନ ସମ୍ପର୍କରେ ଏନ୍ସିପି ସହ କଥା ହେବୁ। ଯାହା ପରେ ପୁଣି ପାଣି ଗୋଳିଆ ହୋଇଛି ।
ଶିବସେନା କଂଗ୍ରେସ ଠାରୁ ସୂୁଚନା ମିଳିବା ପରେ ଏନସିପି କିନ୍ତୁ ଏନେଇ ନିରବ ରହିଥିଲା ଯାହାକୁ ନେଇ ଶିବସେନା ରାଜ୍ୟପାଳକଙ୍କୁ ଭେଟି ୩ ଦିନ ମହଲତ ମାଗିଥିଲା । ମାତ୍ର ଏହାକୁ ସ୍ୱୀକାର କରି ନାହାନ୍ତି ରାଜ୍ୟପାଳ । ରାଜ୍ୟପାଳ ସରକାର ଗଢିବା ଡ଼େି ଏନସିପି ସହିତ ଆଲୋଚନା କରିବା ପାଇଁ ଡାକିଥିଲେ । ଏବଂ ତୃତୀୟ ବୃହତ ଦଳଭାବେ ସରକାର ଗଢିବାକୁ ନିମନ୍ତ୍ରଣ କରିଥିଲେ । ରାଜ୍ୟପାଳ ଏନସିପିକୁ ଆଜି ରାତି ସାଢେ ଆଠଟା ପର୍ଯ୍ୟନ୍ତ ସମୟ ଦେଇଥିବା ସୂଚନା ମିଳିଛି ।